ହିତାଧିକାରୀଙ୍କ ହିତ ପାଇଁ

ହିତାଧିକାରୀଙ୍କ ହିତ ପାଇଁ

ହିତାଧିକାରୀଙ୍କ ହିତ ପାଇଁ
ଦେଶବ୍ୟାପୀ ଲକଡାଉନ ଯୋଗ୍ୟୁ ଅତ୍ୟାବଶ୍ୟକ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ । ଅନେକ ଦୁର୍ଗମ ଓ ଦୂରଦୂରାନ୍ତ ଅଞ୍ଚଳରେ ତାହା ଅପହଞ୍ଚ ହୋଇ ରହିଛି । ଏଭଳି ପରିସ୍ଥିତିରେ ଖୋଦ ଜିଲ୍ଲାପାଳ ଓ ବିଧାୟକ ହିିତାଧିକାରୀଙ୍କ ପାଖକୁ ରାସନ ସାମଗ୍ରୀ ବୋହିନେବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର ପଥନମଥିଟ୍ଟା ଜିଲ୍ଲାରେ । ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ରହୁଛନ୍ତି ୩୭ ଆଦିବାସୀ ପରିବାର । ସେମାନେ ନିଜ ଘରୁ ରାସନ ସାମଗ୍ରୀ ଆଣିବାକୁ ପ୍ରଥମେ ଜଙ୍ଗଲ ଓ ନଦୀ ପାର ହୋଇ ଦେଢ଼ଘଣ୍ଟା ପାଦରେ ଚାଲିଚାଲି ଯାଇଥାନ୍ତି । ମୁଖ୍ୟ ରାସ୍ତା ଉପରେ ପହଞ୍ଚିବା ପରେ ସେଠାରୁ ଦେଢ଼ ଘଣ୍ଟା ଗାଡ଼ିରେ ଯାଇ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥାନ୍ତି । କିନ୍ତୁ ଲକଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଏହି ଆଦିବାସୀ ପରିବାର ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏକଥା ଜିଲ୍ଲାପାଳ ପି.ବି ନୁହ ଓ ସ୍ଥାନୀୟ ସିପିଏମ ବିଧାୟକ କେୟୁ ଜେନିଶ କୁମାର ସେମାନଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବାକୁ ଚାହିଁଥିଲେ । ସେମାନେ ରାସନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଏକ ଗାଡ଼ିରେ ନେଇ ଦେଢ଼ଘଣ୍ଟା ଯାତ୍ରା କରିବା ପରେ ଜଙ୍ଗଲ ନିକଟରେ ପହଞ୍ଚିଥିଲେ । ସେଠାରୁ ଗାଡ଼ି ଭିତରୁ ବସ୍ତା ବାହାର କରି ଜିଲ୍ଲାପାଳ ଓ ବିଧାୟକ ନିଜ କାନ୍ଧରେ ବୋହି ଜଙ୍ଗଲ ଭିତରେ ଚାଲିବାକୁ ଲାଗିଲେ । ଜଙ୍ଗଲ ଓ ନଦୀ ପାର ହୋଇ ଦେଢ଼ ଘଣ୍ଟା ଚାଲିବା ପରେ ସେମାନେ ଆଦିବାସୀ ପରିବାରଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ନେଇଥିବା ସାମଗ୍ରୀ ପ୍ରଦାନ କରିଥିଲେ । ସୋସିଆଲ ମିଡିଆରେ ଜିଲ୍ଲାପାଳ ଓ ବିଧାୟ ନିଜ କାନ୍ଧରେ ରାସନ ସାମଗ୍ରୀ ବୋହି କରି ନେଇ ଯାଉଥିବାର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ଏଭହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଜିଲ୍ଲାପାଳ ଓ ବିଧାୟକଙ୍କୁ ପ୍ରଶଂସା କରାଯାଉଛି ।