ସିଂହୀ ପରେ ଭାଲୁ ମୃତ
ସିଂହୀ ପରେ ଭାଲୁ ମୃତ
ଭୁବନେଶ୍ବର: ନନ୍ଦନକାନନରୁ ପୁଣି ଥରେ ଆସିଛି ଦୁଃଖ ଖବର। କିଛିଦିନ ତଳେ ସାପ କାମୁଡ଼ାରେ ସିଂହୀର ମୃତ୍ୟୁ ହୋଇଥିଲା। ଆଜି ଏକ ଭାଲୁର ମୃତ୍ୟୁ ହୋଇଯାଇଛି। ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣା ଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭାଲୁର ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି ।
କୋରାପୁଟ ଜିଲ୍ଲା ଜୟପୁରରୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ଏକ ଅଣ୍ଡିରା ଦେଶୀ ଭାଲୁ ୨୮ ଦିନକାଳ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଛି । ନନ୍ଦନକାନନ କର୍ତ୍ତୃପକ୍ଷ ଓ ପଶୁ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାକୁ ବଞ୍ଚାଇ ରଖିବା ସମ୍ଭବ ହୋଇନି । ଭାଲୁଟି ଶିକାରୀ ଗୁଳିରେ ଆହତ ହୋଇଥିଲା । ତା ଛାତିରେ ଗୁଳି ବାଜିଥିବାରୁ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ଆଣି ଛାତିରୁ ଗୁଳି ବାହାର କରାଯାଇଥିଲା । ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇ ତାର ଚିକିତ୍ସା କରାଯାଉଥିଲା । ଚଳିତ ମାସ ୪ ତାରିଖରେ ଭାଲୁଟି ଗୁଳିବଦ୍ଧ ହୋଇ ଜଙ୍ଗଲରେ ପଡିଥିବା ଖବର ପାଇ ଜୟପୁର ବନବିଭାଗ ତାକୁ ଉଦ୍ଧାର କରିଥିଲା । ଆସିବା ଦିନଠାରୁ ଠିକ୍ ଭାବରେ ସେ ଖାଦ୍ୟପେୟ ଗ୍ରହଣ କରୁନଥିଲା । ପଛ ଦୁଇଗୋଡ ଅଚଳ ହୋଇପଡିଥିଲା । ଭାଲୁର ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଆଜି ଓୟୁଏଟିରୁ ଏକ ଟିମ୍ ଆସି ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ସାପ କାମୁଡାରେ ନ୍ଦନକାନନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଥିଲା । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣା ଯାଇଥିଲା ।




admin 