ସାରସକଣା ନିର୍ବାଚନ ମଣ୍ଡଳୀର ହାଲଚାଲ
ସାରସକଣା ନିର୍ବାଚନ ମଣ୍ଡଳୀର ହାଲଚାଲ
admin
Mar 20, 2019 - 06:45
Updated: Mar 20, 2019 - 06:45
ବାରିପଦା:ଏଥର ଦମଦାର ହେବ ସାରସକଣା ବିଧାନସଭା ଆସନରେ ଲଢ଼େଇ । ନିର୍ବାଚନ ମଇଦାନକୁ ଉହ୍ଲାଇବେ ହେଭିୱେଟ ନୂଆ ପ୍ରାର୍ଥୀ । ସମସ୍ତ ରାଜନୈତିକ ଦଳ ଏଥର ପ୍ରାର୍ଥୀ ବଦଳାଇବା ସପକ୍ଷରେ ରହିଛନ୍ତି । ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମରେ ସମ୍ଭାବ୍ୟ ନୂଆ ମୁହଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ଏହି ଆସନକୁ କଂଗ୍ରେସ ତା’ର ସହଯୋଗି ଦଳକୁ ଛାଡ଼ି ଦେଇପାରେ ବୋଲି କୁହାଯାଉଛି ।
୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ପରେ ସାରସକଣା ନିର୍ବାଚନ ମଣ୍ଡଳୀ ବିଜଦର ଏକ ଦୁର୍ଗ ଭାବେ ମୂଳଦୁଆ ପଡ଼ିଥିଲା । ବର୍ତମାନ ୨୦୧୯ ଜାନୁଆରୀ ୨୧ ସୁଦ୍ଧା ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୯୯,୨୩୩, ମହିଳା ଭୋଟର ସଂଖ୍ୟା ୧,୦୦,୪୧୧ ଓ ଅନ୍ୟାନ୍ୟ ୯ ଏହିପରି ମୋଟ ୧,୯୯,୭୨୩ ରହିଛି । ୨୦୦୮ ବିଧାନସଭା ପୁର୍ନଗଠନ ସମୟରେ ସାରସକଣା ବ୍ଲକର ୧୭, ବିଶୋଇ ବ୍ଲକର ୧୩ ଓ ବିଜାତୋଳା ବ୍ଲକର ୧୨ ପଚାଂୟତ ସହିତ କୁସୁମୀ ବ୍ଲକର କୁସୁମୀ, ଜୟପୁର, ଭୁଟକାବାଦି ଓ ମୟୂରଦର ଆଦି ୪ଟି ପଚାଂୟତର ମୋଟ ୧,୫୯,୬୦୦ ଭୋଟରଙ୍କୁ ନେଇ ନୂତନ ଭାବେ ସାରସକଣା ନିର୍ବାଚନ ମଣ୍ଡଳୀ ଜନ୍ମ ନେଇଥିଲା । ଏହା ପରେ ୨୦୦୯ ନିର୍ବାଚନରେ ବିଜଦ ତା’ର ଭାଗୁଆଳି ଦଳ ଏନସିପିକୁ ଆସନଟି ଛାଡ଼ି ଦେଇଥିଲା ଏବଂ ଏନସିପିରୁ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରାର୍ଥୀ ହୋଇ ଝାମୁମୋ ପ୍ରାର୍ଥୀକୁ ୧୪,୫୯୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଝାମୁମୋ ଦଳର ଜିଲ୍ଲା ସଭାପତି ପଦବୀକୁ ତ୍ୟାଗ କରି ବିଜଦ ଟିକଟ ହାତେଇ ଭାଦବ ହାଁସଦାଃ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଜେଏମଏମ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ୩,୮୩୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାନରେ ଶ୍ରୀ ହାଁସଦାଃ ୩୨.୫୬ ପ୍ରତିଶତ ହାରରେ ୪୬,୮୬୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଝାମୁମୋ ପ୍ରାର୍ଥୀ ଶ୍ରୀ ମୁର୍ମୁ ୨୯.୮୯ ପ୍ରତିଶତ ହାରରେ ୪୩,୦୨୮ ଖଣ୍ଡ ଏବଂ ବିଜେପି ୧୬.୨୯ ପ୍ରତିଶତ ହାରରେ ୨୩,୪୪୭ ଓ କଂଗ୍ରେସ ପ୍ରାର୍ଥୀ ୧୩.୯୨ ପ୍ରତିଶତ ହାରରେ ୨୦,୦୪୦ ଖଣ୍ଡ ଭୋଟ ପାଇଥିଲେ । ଶ୍ରୀ ହାଁସଦାଃ ବିଜଦରେ ମିିଶିଲେ ସତ, ମାତ୍ର ନିର୍ବାଚନ ମଣ୍ଡଳୀରେ ମୂଳ ବିଜଦ ନେତା ଓ କର୍ମୀମାନଙ୍କ ଆସ୍ଥା, ବିଶ୍ୱାସଭାଜନ ହୋଇପାରିଲେ ନାହିଁ । ବିଜଦ ବିଧାୟକ କୈନ୍ଦ୍ରିକ ଦଳ ଭାବେ ପରିଚାଳତ ହେଉଥିବାରୁ ମୂଳ ବିଜଦର ନେତା ଓ କର୍ମୀମାନେ ବିଧାୟକଙ୍କ ଦ୍ୱାରା ଅଣଦେଖା ହେଲେ । ଏହାକୁ କେନ୍ଦ୍ରକରି ନିର୍ବାଚନ ମଣ୍ଡଳୀରେ ବିଜଦ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହେଲା । ଦଳର ହାଇକମାଣ୍ଡ ମଧ୍ୟ ସମାଧାନ ଦିଗରେ କୌଣସି ପ୍ରକାରର ଉଦ୍ୟମ କଲେ ନାହିଁ । ପରିଣାମ ସ୍ୱରୂପ ସାରସକଣା ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଜୁଲୁ ନନା ଓରଫ ଅମରେନ୍ଦ୍ର କରଙ୍କୁ ସମର୍ଥନ ଜଣାଇ ୨୦୧୫ ଅକ୍ଟୋବରରେ ପ୍ରଥମେ ବିଜଦର ସାରସକଣା ବ୍ଲକ ଅଧ୍ୟକ୍ଷଙ୍କ ସମେତ ଉପାଧ୍ୟକ୍ଷ, ୨ ଜଣ ଜିଲାପରିଷଦ ସଦସ୍ୟ, ୧୫ ଜଣ ପଚାଂୟତ ସମିତି ସଦସ୍ୟ, ୭ ଜଣ ସରପଂଚ ଓ କେତେକ କର୍ମୀ ଦଳରୁ ସାମୁହିକ ଭାବେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେହି ଦିନଠାରୁ ଦଳରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ ହୋଇଥିଲା । ବିଜଦର ଜୁଲୁ ନନାଙ୍କ ନେତୃତ୍ୱ ଏକ ଶକ୍ତିଶାଳୀ ଗୋଷ୍ଠୀ ବିଧାୟକଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସିଧାସଳଖ ଭାବେ ବିରୋଧ କରିବାକୁ ଲାଗିଲେ । ପରିଣାମ ସ୍ୱରୂପ କଲେଜ ନିର୍ବାଚନଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ନିର୍ବାଚନରେ ଖାତା ଖୋଲି ପାରି ନଥିଲେ ପ୍ରତିପକ୍ଷ । ଜୁଲୁ ନନାଙ୍କ ସଂଗଠନ ବିଧାୟକ ଶ୍ରୀ ହାଁସଦାଃଙ୍କ ଉପରେ ଭାରି ପଡିଥିଲା । ଦଳ ବିରୋଧୀ କାର୍ଯ୍ୟକଳାପର ଅଭିଯୋଗରେ ବିଜଦ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀ କରଙ୍କୁ ଦଳରୁ ନିଲମ୍ବିତ କରାଇଥିଲେ । ଏହା ପରେ ୨୦୧୮ରେ ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ସହ ବିଜଦର ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି ଦେଇଥିଲେ । ସେହିପରି ନବଦିଗନ୍ତ ଚିଟଫଣ୍ଡ ଅଭିଯୋଗରେ ସିବିଆଇ ୨୦୧୪ରେ ସାଂସଦ ରାମଚନ୍ଦ୍ରଙ୍କୁ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କରାଇଦେଇଥିଲେ । ୨୦୧୯ ନିର୍ବାଚନରେ ବିଜଦରୁ ଟିକେଟ ପାଇବା ଆଶା କ୍ଷୀଣ ରହିଥିବାରୁ ସ୍ୱାଧୀନ ଭାବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ନିଷ୍ପତି ନେଇଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।
୨୦୧୯ ବିଧାନସଭା ନିର୍ବାଚନରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକଟ ଲବିର ଚର୍ଚ୍ଚା ପରିସରରେ ରହିଛନ୍ତି ବିଶୋଇ ବ୍ଲକର ଅମର ସିଂ ଟୁଡ଼ୁ, ହରିମୋହନ ନାୟକ, ତୁଳସୀ ସିକ୍ରି ହାଁସଦାଃ, ବିଜାତୋଳା ବ୍ଲକରୁ ବ୍ଲକ ଚେୟାରମେନ ନିମାଁଇ ଚନ୍ଦ୍ର ମୁର୍ମୁ, ମାଝିଆରାମ ମାଝି, ସାରସକଣା ବ୍ଲକରୁ ମାନଭଞ୍ଜନ ନାଏକ ଓ ମାର୍ଚ୍ଚ ୧୩ ନବୀନ ନିବାସରେ ଫୁଲ ଛାଡ଼ି ଶଙ୍ଖ ଧରିଥିବା ବିଶୋଇ ମଣ୍ଡଳର ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରାମ ସୋରେନ ପ୍ରମୁଖ । ଏଥି ସହିତ ନିର୍ବାଚନ ମଣ୍ଡଳୀରୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ପ୍ରଦାନ କରାଯିବା ନିମନ୍ତେ ଦାବି କରାଯିବା ସାଙ୍ଗକୁ ବିଶୋଇ, ସାରସକଣା, ବିଜାତୋଳା ଆଦି ବ୍ଲକମାନଙ୍କରେ ବୈଠକ ବସି ସର୍ବସମ୍ମତି କ୍ରମେ ନିଷ୍ପତି ଗୃହୀତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ହାଇକମାଣ୍ଡ ଏ ଦିଗରେ ଅଧିକ ଯତ୍ନବାନ ହେବେ ବୋଲି ଜନସାଧାରଣ ଆଶାବାଦୀ ରହିଛନ୍ତି । ସେହିପରି ବିଜେପିରୁ ପ୍ରାର୍ଥୀ ହେଉଥିବା ବେଳେ କଂଗ୍ରେସ ଓ ଜେଏମଏମ ମେଂଟ ହେଲେ ଜେଏମଏମରୁ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଛିଡ଼ା ହେବାର ସମ୍ଭାବନା ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ରାଜ୍ୟରେ ଜାରି ରହିଥିବା ବିକାଶର ଧାରା, ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ କରାଯାଇଥିବା ଜନକଲ୍ୟାଣକାରୀ ଯୋଜନାର ସଫଳତା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, କେନ୍ଦ୍ରିୟ ଅନୁଦାନରେ କାଟଛାଟ, ବଜେଟରେ ଓଡ଼ିଶାକୁ ଅଣଦେଖା ସହ ମୂଲ୍ୟବୃଦ୍ଧି, ଧାନର ସହାୟକ ମୂଲ୍ୟ ବୃଦ୍ଧି, ବିମୂଦ୍ରାକରଣ ଆଦି ପ୍ରସଙ୍ଗକୁ ମୁଖ୍ୟ ଆୟୁଧ କରି ଜନତା ଜନାର୍ଦ୍ଦନଙ୍କ ଦ୍ୱାରସ୍ଥ ହେଉଥିବା ବେଳେ ପଛରେ ପଡ଼ିଯାଇ ନାହିଁ ବିଜେପି, କଂଗ୍ରେସ ଓ ଜେଏମଏମ ।
୨୦୧୮ ଡ଼ିସେମ୍ବର ୬ରେ ସାରସକଣା ନିର୍ବାଚନ ମଣ୍ଡଳୀର ୩୨ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେପି ସଦସ୍ୟଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନର ଫଳାଫଳ ବିଜେଡ଼ି ସପକ୍ଷରେ ଯାଇଥିଲା । ବିଜଦ ପ୍ରାର୍ଥୀ ରଘୁନାଥ ମାଝି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ କୁତୁଲୁ ହାଁସଦାଃଙ୍କୁ ୪,୧୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଭୋଟ ଗଣତିର ଫଳାଫଳ ଅନୁସାରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ମାଝି ମୋଟ ୮,୮୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ କୁତୁଲୁ ହାଁସଦାଃ ୪,୬୬୩ ଖଣ୍ଡ , ଜେଏମଏମ ପ୍ରାର୍ଥୀ ମୀନା ସୋରେନ ୨,୭୬୮ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁ ୧୬୬ ଖଣ୍ଡ ପାଇଥିଲେ । ୨୦୧୭ ଜିଲ୍ଲାପରିଷଦ ନିର୍ବାଚନରେ ବିଜେପି, କଂଗ୍ରେସ ଓ ଜେଏମଏମର ପ୍ରର୍ଥୀମାନେ ପାଇଥିବା ଭୋଟଠାରୁ ବହୁ ତଳକୁ ଖସି ଆସିଥିଲେ । ଫଳରେ ୨୦୧୯ ବିଧାନସଭା ନିର୍ବାଚନରେ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ତା’ର ଦୁର୍ଗକୁ ସୁରକ୍ଷିତ ରଖିପାରିବ ବୋଲି ଆଶାବାଦୀ ହୋଇପଡ଼ିଛି । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ନିମନ୍ତେ ସମସ୍ତ ଦଳ ଆଶାବାଦୀ ଥିବାର ପରିଲକ୍ଷିତ ହୋଇଛି । ଏଥି ନିମନ୍ତେ ବିଜେପି, କଂଗ୍ରେସ-ଜେଏମଏମ ମେଂଟ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଡ଼ାକ୍ତରୀ ଚାକିରୀରୁ ଅବସର ନେବା ପୂର୍ବରୁ ସାରସକଣାରେ ବସବାସ ଯଶୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହଳଦା ଅଂଚଳର ଅଧିବାସୀ ଡ଼ା. ବୁଢ଼ାନ ମୁର୍ମୁ ବିଜେଡ଼ି ଦଳରୁ ୨୦୧୪ରେ ଟିକେଟ ପାଇଁ ଆଶାୟୀ ରହିଥିଲେ । ମାତ୍ର ଦଳ ଡ଼ା. ମୁର୍ମୁଙ୍କୁ ଅଣଦେଖା ପ୍ରଦର୍ଶନ ସହ ଗୁରୁତ୍ୱ ଦେଇନଥିବାରୁ ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି ଏବଂ ବିଜେପି ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରୋଜେକ୍ଟ କରିବାକୁ ଯାଉଛି । ସେହିପରି କଂଗ୍ରେସ-ଜେଏମଏମ ମେଂଟ ନହେଲେ କଂଗ୍ରେସରୁ ଚୈତନ୍ୟ ହାଁସଦାଃଙ୍କୁ ପ୍ରାର୍ଥୀ କରାଯାଉଥିବାର ଜଣାପଡ଼ିଛି । ତେଣୁ ୨୦୧୯ ନିର୍ବାଚନରେ ବିଜେଡ଼ି ସହିତ ବିଜେପି ଓ ଜେଏମଏମ ମେଂଟର ଲଢ଼େଇ ହେବାର ସମ୍ଭାବନା ଦେଖା ଦେଇଛି ।