ସର୍ବଦଳୀୟ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସର୍ବଦଳୀୟ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
admin
May 12, 2021 - 10:45
Updated: May 12, 2021 - 10:45
ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୨ – ରାଜ୍ୟରେ ଗାଁ ଓ ୱାଡ଼୍ ସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କୋଭିଡ୍-୧୯ର ସଠିକ୍ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ବିଷୟରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ
ଶ୍ରୀ ପ୍ରଧାନ ଏହା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ । ତେଣୁ ତୃଣମୂଳ ସ୍ତରରେ କୋଭିଡ୍ –୧୯ର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲି । ଏହାସହ କୋଭିଡ୍୧୯ ମୁକାବିଲା ତଥା ସଠିକ୍ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ୱାଡ଼୍ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଂଟ୍ କମିଟି’ ଗଠନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ଟ୍ୱ ିଟ୍ କରିଛନ୍ତି । ଓଡ଼ିଶାରେ କିପରି ଭ୍ୟାକସିନ୍ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଲେ । ରାଜ୍ୟକୁ କିପରି ଭ୍ୟାକସିନ୍, ରେମଡେ଼ସିଭର ଡ୍ରଗ୍ସ, ରାପିଡ଼୍ ଆଂଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି । ବର୍ତମାନ କୋଭିଡ୍ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମିଳିତ ସହଯୋଗ ଏବଂ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୁଦ୍ଧ ଲଢେ଼ଇରେ ବିଜୟୀ ହୋଇପାରିବ । ଆମେ ଏକାଠୀ ହୋଇ ଜିତିପାରିବା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇ ରାଜ୍ୟରେ ଟେଷ୍ଟି, ଭେଂଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।