ସରକାରୀ ଅଫିସରେ ପାଳନ ହେବନି ନୂଆବର୍ଷ

ସରକାରୀ ଅଫିସରେ ପାଳନ ହେବନି ନୂଆବର୍ଷ

ସରକାରୀ ଅଫିସରେ ପାଳନ ହେବନି ନୂଆବର୍ଷ
ଭୁବନେଶ୍ୱର : ପ୍ରତିବର୍ଷ ସରକାରୀ ଅଫିସମାନଙ୍କରେ ନୂଆବର୍ଷ ପାଳନ ହୁଏ । ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଯାଏ । କିନ୍ତୁ ଏବର୍ଷ କରୋନା କଟକଣା ପାଇଁ ସରକାରୀ ଅଫିସରେ ନୂଆବର୍ଷ ପାଳନ କରାଯିବ ନାହିଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସହ ଆବଶ୍ୟକୀୟ ପରାମର୍ଶ ବି ଜାରି କରାଯାଇଛି । ଯାହାଫଳରେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଏବେ ନୂଆ କରୋନା ଭାଇରସ ସଂକ୍ରମଣ ହେଉଥିବାବେଳେ ପୂର୍ବଭଳି କଡ଼ା ପ୍ରତିଷେଧକମୂଳକ ବ୍ୟବସ୍ଥା ଓ କଟକଣାର ଆବଶ୍ୟକତା ରହିଛି । ଏହାକୁ ଆଖିଆଗରେ ରଖି ନୂଆବର୍ଷରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଦଳଗତ କାର୍ଯ୍ୟକ୍ରମକୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି । ନିଜର ସହଯୋଗୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଭର୍ଚୁଆଲ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାମାଜିକ ଦୂରତା ରକ୍ଷା କରିବାକୁ ବି କୁହାଯାଇଛି ।