ସରକାର ଗଠନରୁ ଓହରିଲା ବିଜେପି : ଶିବସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ
ସରକାର ଗଠନରୁ ଓହରିଲା ବିଜେପି : ଶିବସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ
admin
Nov 11, 2019 - 07:07
Updated: Nov 11, 2019 - 07:07
ମୁମ୍ବାଇ : ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ୧୭ ଦିନ ପରେ ବି ରାଜନୈତିକ ସଙ୍କଟ ଜାରି ରହିଛି ଏବଂ ସରକାର ଗଠନ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ । ନିର୍ବାଚନ ପୂର୍ବରୁ ମେଣ୍ଟ କରି ବିଜୟୀ ହୋଇଥିବା ବିଜେପି ଏବଂ ଶିବ ସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସର୍ବାଧିକ ଆସନ ଜିତିଥିବା ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ ମଧ୍ୟ ଏହି ଦଳ ଅସମର୍ଥତା ପ୍ରକାଶ କରିଛି । ଏବେ ଶିବ ସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ରାଜ୍ୟପାଳ । କାଲି ସନ୍ଧ୍ୟା ସାଢେ଼ ୭ଟା ସୁଦ୍ଧା ଶିବ ସେନାର ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି ରାଜ୍ୟପାଳ । ତେବେ ୨୮୮ ଆାସନ ବିଶିଷ୍ଟ ବିଧାନସଭାରେ ଶିବ ସେନାକୁ ମାତ୍ର ୫୮ଟି ଆସନ ମିଳିଥିବାରୁ ଆଉ ୮୭ ସଭ୍ୟଙ୍କ ସମର୍ଥନ କେଉଁଠୁ ଆଣିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି ।
ନିର୍ବାଚନରେ ବିଜେପି ୧୦୫ ଆସନ ଦଖଲ କରି ସବୁଠାରୁ ବଡ଼ ଦଳର ମାନ୍ୟତା ପାଇଥିବାରୁ ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏହାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ଆଜି ଦିନ ତମାମ ରାଜ୍ୟପାଳଙ୍କ ଆମନ୍ତ୍ରଣ ଉପରେ ମନ୍ଥନ ହେବାପରେ ଦଳ ସରକାର ଗଠନ କରିବା ପାଇଁ ବହୁମତ ନଥିବା ରାଜ୍ୟପାଳଙ୍କୁ ଜଣାଇ ଦେଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ କହିଥିଲେ ଯେ ଶିବସେନା ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢ଼ିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଶିବସେନାର ସମର୍ଥନ ମିଳିଲା ନାହିଁ । ତେଣୁ ବିଜେପି ପାଖରେ ଏବେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନାହିଁ । ଏହାପରେ ରାଜ୍ୟପାଳ ଶିବସେନା ବିଧାୟକ ଦଳର ନେତା ଏକନାଥ ଖଡ଼ସେଙ୍କୁ ସରକାର ଗଠନ ନେଇ ଆଭିମୁଖ୍ୟ ରଖିବାକୁ କହିଛନ୍ତି । ଶିବସେନା ରାଜ୍ୟରେ ସରକାର ଗଠନ କରିବାକୁ ଆଗ୍ରହୀ ଅଛି କି ନାହିଁ ସେ ସଂପର୍କରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଶିବସେନା ଦ୍ୱିତୀୟ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଶିବସେନା ଏନସିପି ସମର୍ଥନରେ ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।