ସଂସଦରେ ପଂଚଦଶ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ : ରାଜ୍ୟଗୁଡ଼ିକୁ ୫ ବର୍ଷରେ ମିଳିବ ୪୨.୨ ଲକ୍ଷ କୋଟି

ସଂସଦରେ ପଂଚଦଶ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ : ରାଜ୍ୟଗୁଡ଼ିକୁ ୫ ବର୍ଷରେ ମିଳିବ ୪୨.୨ ଲକ୍ଷ କୋଟି

ସଂସଦରେ ପଂଚଦଶ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ : ରାଜ୍ୟଗୁଡ଼ିକୁ ୫ ବର୍ଷରେ ମିଳିବ ୪୨.୨ ଲକ୍ଷ କୋଟି
ନୂଆଦିଲ୍ଲୀ : ସଂସଦରେ ପଂଚଦଶ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୨୧ରୁ ୨୦୨୬ ମଧ୍ୟରେ ଗ୍ରସ ଟିକସ ରାଜସ୍ୱ ୧୩୫ ଲକ୍ଷ ୨ ହଜାର କୋଟି ହେବବୋଲି ଆକଳନ କରାଯାଇଛି । ସେସ, ସରଚାର୍ଜ ଓ ଟିକସ ଆଦାୟ ଖର୍ଚ୍ଚକୁ ବାଦଦେଲେ ଡିଭିଜିବଲ ପୁଲ ୧୦୩ ଲକ୍ଷ କୋଟି ହେବ ବୋଲି ଆକଳିତ ହୋଇଛି । ସେଥିମଧ୍ୟରୁ ରାଜ୍ୟଗୁଡ଼ିକୁ ୪୧% ଅଂଶ ପ୍ରଦାନ କରାଯିବ । ଅର୍ଥାତ ରାଜ୍ୟଗୁଡ଼ିକ ଏହି ୫ ବର୍ଷ ମଧ୍ୟରେ ୪୨ ଲକ୍ଷ ୨ ହଜାର କୋଟି ଟଙ୍କା ପାଇବେ । ତେବେ ଓଡ଼ିଶା ଭାଗ କିନ୍ତୁ କମିବ । ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ରିପୋର୍ଟରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ଆୟ ୪.୬୪% ମିଳିବାର ଥିଲା । ପଂଚଦଶ ଅର୍ଥ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ତାହା ୪.୬୨୯%କୁ ଖସି ଆସିଥିଲା । କିନ୍ତୁ ଏବେ ତାହା ୪.୫୨୮%କୁ ଖସି ଆସିଛି । ଫଳରେ ଓଡ଼ିଶାର ଭାଗ କମିଯାଇଛି । ୨୦୨୧-୨୬ ମଧ୍ୟରେ ରାଜ୍ୟଗୁଡ଼ିକୁ ୧୦ ଲକ୍ଷ ୩୩ ହଜାର କୋଟିର ଅନୁଦାନ ଓ ପଂଚଦଶ ଅର୍ଥ କମିଶନଙ୍କ ୪୨.୨ ଲକ୍ଷ କୋଟି ଟଙ୍କାର ଅନୁଦାନକୁ ହିସାବକୁ ନେଲେ ଡିଭିଜବଲ ପୁଲକୁ ୫୦.୯% ଅର୍ଥ ମିଳିପାରିବ । ଅପରପକ୍ଷରେ ଦେଶର ବିକାଶ ପାଇଁ ୩୪% ଅର୍ଥ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ତେବେ ପଂଚଦଶ ଅର୍ଥ କମିଶନ ରାଜ୍ୟକୁ ଅର୍ଥ ଆବଂଟନର ମାନଦଣ୍ଡରେ ପୁନର୍ବାର ଟିକସ ଓ ବିତୀୟ ସଂସ୍କାରକୁ ଯୋଗ କରିଛନ୍ତି । ଅର୍ଥ କମିଶନ ରାଜସ୍ୱ ଓ ବ୍ୟୟ ଆଧାରରେ ରାଜସ୍ୱ ନିଅଂଟ ଅନୁଦାନ ପ୍ରଦାନ କରିବେ । ୧୭ଟି ରାଜ୍ୟକୁ ଏଥିପାଇଁ ୨ ଲକ୍ଷ ୯୪ ହଜାର ୫୧୪ କୋଟି ଟଙ୍କା ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ସେହିପରି ସ୍ୱାୟତଶାସିତ ସଂସ୍ଥାଗୁଡ଼ିକୁ ଏହି ସମୟ ମଧ୍ୟରେ ୪ ଲକ୍ଷ ୩୬ ହଜାର ୩୬୧ କୋଟି ଟଙ୍କା ପ୍ରଦାନ କରାଯିବ । ଏଥିମଧ୍ୟରୁ ନୂଆ ସହରକୁ ପରଫରମାନ୍ସ ଭିତିରେ ୮ ହଜାର କୋଟି ଟଙ୍କା ଦିଆଯିବ । ସେହିପରି ଗ୍ରାମାଂଚଳ ସ୍ୱାୟତ ଶାସନ ସଂସ୍ଥାକୁ ୨ ଲକ୍ଷ ୩୬ ହଜାର ୮୦୫ କୋଟି ଟଙ୍କା ମିଳିବ । ସହରାଂଚଳ ସ୍ୱାୟତ ଶାସିତ ସଂସ୍ଥାକୁ ୧ ଲକ୍ଷ ୨୧ ହଜାର ୫୫ କୋଟି ଓ ସ୍ୱାସ୍ଥ୍ରସେବା ପାଇଁ ୭୦ ହଜାର ୫୧ କୋଟି ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରାଯାଇଛି । ଏତଦବ୍ୟତୀତ ରାଜ୍ୟ ସରକାରମାନେ ବଜେଟର ୮% ଅର୍ଥ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଖର୍ଚ୍ଚ କରିବାକୁ ସୁପାରିଶ କରାଯାଇଛି । ୫ ବର୍ଷ ମଧ୍ୟରେ ପଂଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ସ୍ୱାସ୍ଥ୍ୟ ପାଇଁ ୧ ଲକ୍ଷ ୬୬୦୬ କୋଟି ଟଙ୍କା ଖର୍ଚ୍ଚ ହେବ । କମିଶନଙ୍କ ମୋଟ ଅନୁଦାନର ଏଡା ୧୦.୩% ହେବବୋଲି ଆକଳିତ ହୋଇଛି । ଶିକ୍ଷା ପାଇଁ ମଧ୍ୟ କମିଶନ ଅର୍ଥ ବରାଦ କରିଛନ୍ତି । ୨୦୨୨-୨୩ରୁ ୨୦୨୫-୨୬ ମଧ୍ୟରେ ୪୮ ଶହ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ଅନଲାଇନ ଶିକ୍ଷା ଓ ମାତୃଭାଷାରେ ମେଡ଼ିକାଲ ଇଂଜିନିୟରିଂ ଭଳି ପେଶାଦାର ଶିକ୍ଷା ପାଇଁ ୬୧୪୩ କୋଟି ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି । ପ୍ରତିରକ୍ଷା ଓ ଆନ୍ତଃ ସୁରକ୍ଷାର ଆଧୁନିକୀକରଣ ପାଇଁ ୫ ବର୍ଷ ମଧ୍ୟରେ ୨ ଲକ୍ଷ ୩୮ ହଜାର ୩୫୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କମିଶନ ସୁପାରିଶ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରାଯାଇଛି । ୫ ବର୍ଷ ମଧ୍ୟରେ କେନ୍ଦ୍ରର ଅଂଶ ବାବଦରେ ୧ ଲକ୍ଷ ୨୨ ହଜାର ୬୦୧ କୋଟି ଟଙ୍କା ଓ ରାଜ୍ୟ ଅଂଶ ପାଇଁ ୩୭୫୫୨ କୋଟି ଦେବାକୁ ସୁପାରିଶ ହୋଇଛି । ଅପରପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ୫ ବର୍ଷ ମଧ୍ୟରେ କେନ୍ଦ୍ରର ଅଂଶ ୧ ଲକ୍ଷ ୨୨ ହଜାର ୬୦୧ କୋଟି ଓ ରାଜ୍ୟ ଅଂଶ ୩୭୫୫୨ କୋଟି ଟଙ୍କା ରହିବ ବୋଲି କମିଶନ ପ୍ରସ୍ତାବ ଦେଇଛନ୍ତି ।