ଶ୍ରମିକ ସାଜି ପଡ଼ୋଶୀଙ୍କୁ ସାହାଯ୍ୟ କଲେ ମିଜୋରାମ ମନ୍ତ୍ରୀ ।
ଶ୍ରମିକ ସାଜି ପଡ଼ୋଶୀଙ୍କୁ ସାହାଯ୍ୟ କଲେ ମିଜୋରାମ ମନ୍ତ୍ରୀ ।
admin
Jun 17, 2020 - 07:29
Updated: Jun 17, 2020 - 07:29
ଗୌହାଟି:ମିଜୋରାମ ରାଜଧାନୀ ଆଇଜଲ ସନ୍ନିକଟ ଚିଟେଭେଙ୍ଗ ଅଞ୍ଚଳରେ ଜଣେ ନିରୁପାୟ ପଡୋଶୀଙ୍କ ଘର ତୋଳିବା ପାଇଁ ମନ୍ତ୍ରୀ ରବର୍ଟ ରୋମାୱିଆ ରୋୟତେ ଶ୍ରମିକ ସାଜି ପାହାଡ଼ ତଳୁ ପଥର ବୋହିବା ଘଟଣା ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଚିଟେଭେଙ୍ଗର ଗ୍ରାମ୍ୟନେତା ଲାଲଙ୍ଗହିହ୍ଲୋଭା ନିଜର ଭୁଶୁଡ଼ି ପଡ଼ିଥିବା କଚ୍ଚାଘରକୁ କେମିତି ସଜାଡ଼ିବେ ବୋଲି ହତୋତ୍ସାହିତ ହୋଇପଡ଼ିଥିଲେ । ହାତରେ ନଁ ଥିଲା ଅର୍ଥବଳ ନା ଲୋକବଳ । ତେବେ ସପ୍ତାହକ ତଳେ ଜଣେ ଅଜଣା ବ୍ୟକ୍ତିଙ୍କ ଆର୍ଥିକ ସହାୟତା ତାଙ୍କ ଅର୍ଥ ଚିନ୍ତାକୁ ଦୂର କରିଦେଇଥିଲା । ମାତ୍ର କେମିତି ଲୋକ ଆଣି ଘର ତୋଳିବେ ବୋଲି ସେ ବିବ୍ରତ ହୋଇପଡ଼ିଥିଲେ । ବିଶେଷ କରି କୋଭିଡ ଯୋଗୁ ମିଜୋରାମ ସରକାର ଲକଡାଉନ ଅବଧିକୁ ଜୁନ ୯ ରୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ହିଁ ସେଠାରେ ନିର୍ମାଣ ଶ୍ରମିକ ନମିଳିବା ଆଶଙ୍କାରେ ସେ ଭାଙ୍ଗି ପଡ଼ିଥିଲେ । ତେବେ ନିଜ ସମ୍ପ୍ରଦାୟ ସେବା କରିବା ଲାଗି ତାଙ୍କ ପଡ଼ୋଶୀମାନେ ଆଗେଇ ଆସି ପାହାଡ଼ ତଳେ ଗଦା ହୋଇଥିବା ପଥର ସବୁ ଧୀରେ ଧୀରେ ବୋହି ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଅପରପକ୍ଷେ, କୋଭିଡ କଟକଣା ଯୋଗୁଁ ଏକକାଳୀନ ଅଧିକ ଲୋକ ମଧ୍ୟ ଶ୍ରମଦାନ କରିବା ପାଇଁ ସେଠାରେ ଏକତ୍ରିତ ହୋଇପାରିଲେନି । ଫଳରେ ୬୦ ମିଟର ତଳୁ ବିରାଟ ବିରାଟ ପଥର ଖଣ୍ଡ ଉପରକୁ ଉଠାଇ ଆଣିବା କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ମନ୍ତ୍ରୀ ୫୩ ବର୍ଷୀୟ ରବର୍ଟ ରୋୟତେ ନିଜ ପଡୋଶୀଙ୍କ ପାଇଁ ଅଣ୍ଟା ଭିଡିଥିଲେ । ଅନ୍ୟମାନଙ୍କୁ ଚକିତ କରି ସେ ମଧ୍ୟ କାନ୍ଧରେ ପଥର ହେବାହିଥିଲେ । ଜଣେ ଫୁଟବଲ ଖେଳାଳିରୁ ମନ୍ତ୍ରୀ ହୋଇଥିବା ରୋୟତେଙ୍କୁ ଅଞ୍ଚଳବାସୀ ଜଣେ ରାଜନେତା ହିସାବରେ ଜାଣନ୍ତି ସିନା, ତେବେ ଜଣେ ନେତାଙ୍କୁ ନିଜର କିଛି ଉଦାହରଣ ଦ୍ୱାରା ଲୋକେ ଜାଣିବା ଦରକାର ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।