ଶୋରିଷ ତେଲର ଉପକାରିତା
ଶୋରିଷ ତେଲର ଉପକାରିତା
ଭୁବନେଶ୍ୱର: ସାଧାରଣତଃ ରୋଷେଇ ପାଇଁ ଆମେ ସୋରିଷ ତେଲର ବ୍ୟବହାର କରିଥାଉ। ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ।
ଖାଲି ଖାଦ୍ୟ ପ୍ରସ୍ତୁତ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଥଣ୍ଡା ଦିନରେ ସୋରିଷ ତେଲର ବ୍ୟବହାର ଦ୍ୱାରା ଏହା ଶୁଷ୍କ ତ୍ୱଚା(ଡ୍ରାଏନେସ୍) ଦୂର କରିବାରେ ସହାୟକ ହେବାସହ ଆକର୍ଷଣୀୟ ଲୁକ୍ ଦେଇଥାଏ।
ତା’ହେଲେ ଆସନ୍ତୁ ଜାଣିବା ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା କ’ଣ କ’ଣ ସବୁ ଫାଇଦା ମିଳିଥାଏ....
ଭୋକ ଲାଗିବାରେ ସାହାଯ୍ୟ କରିଥାଏ: ଆପଣ ଭାବୁଥିବେ ସୋରିଷ ତେଲ ଭୋକ ବଢ଼ାଇବାରେ କିଭଳି ସାହାଯ୍ୟ କରିବ। ପ୍ରକୃତରେ କହିବାକୁ ଗଲେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ସ୍ୱାଦିଷ୍ଟ ଓ ପୃଷ୍ଟିକର ହୋଇଥାଏ। ଯାହାକି ଥରେ ଖାଇଲେ ପୁଣି ଆଉଥରେ ଖାଇବାକୁ ଇଚ୍ଛା ହୋଇଥାଏ। ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସୋରିଷ ତେଲରୁ ବେଶ୍ ଫାଇଦା ମିଳିଥାଏ। ହେଲେ ଏଠାରେ ଆପଣ ଗୋଟିଏ କଥା ଧ୍ୟାନ ରଖିବେ ଯେତବେଳେ ଆପଣ ସୋରିଷ ତେଲରେ କିଛି ରୋଷଇ କରୁଛନ୍ତି ଏହା ଯେପରି ଭାବରେ ସମ୍ପୂର୍ଣ୍ଣ ନ ଜଳେ। ନହେଲେ ଖାଦ୍ୟର ସବୁ ପୁଷ୍ଟିକର ତତ୍ତ୍ୱ ଆପଣଙ୍କୁ ଆଉ ମିଳିବନି।
ବଡି ମସାଜ୍: ଶୀତଦିନରେ ସୋରିଷ ତେଲରେ ବଡି ମସାଜ୍ କଲେ ଆରାମ ମିଳିଥାଏ। ଖାଲି ଆରାମ ନୁହେଁ ଶରୀର ପୂରାପୂରି ଗରମ ରହିଥାଏ। ଏହାସହ ତ୍ୱଚାକୁ କୋମଳ ମଧ୍ୟ ରଖିଥାଏ ସୋରିଷ ତେଲ।
ଜଏଣ୍ଟ୍ ପେନ୍ ଦୂର କରେ: ସାଧାରଣତଃ ଟିକେ ବୟସ ହୋଇଗଲେ ଜଏଣ୍ଟ୍ ପେନ୍ ଆରମ୍ଭ ହୋଇଯାଇଥାଏ। ଯଦି ଆପଣ ପ୍ରତିଦିନ ସୋରିଷ ତେଲ ମାଲିସ୍ କରିବେ, ତା’ହେଲେ ଏହି ସମସ୍ୟା ଦେଖାଯିବ ନାହିଁ। ଖାଲି ଏତିକି ନୁହେଁ ସୋରିଷ ତେଲର ବ୍ୟବହାର ଦ୍ୱାରା ଶରୀରର ହାଡ଼ ମଜବୁତ୍ ହେବାସହ ଅସହ୍ୟ ଥଣ୍ଡାରୁ ମୁକ୍ତି ମଧ୍ୟ ମିଳିଥାଏ।
ଦାନ୍ତ ସମସ୍ୟା: ଯଦି ଆପଣଙ୍କ ଦାନ୍ତ ଦରଜ ହେଉଛି ତା’ହେଲେ ଆପଣ ସୋରିଷ ତେଲରେ କିଛି ଲୁଣ ମିଶାଇ ଦାନ୍ତରେ ଲଗାନ୍ତୁ। ଯଦି ବି ଆପଣଙ୍କ ଦାନ୍ତ ଦରଜ ହେଉନାହିଁ ତା’ହେଲେ ମଧ୍ୟ ଆପଣ ସୋରିଷ ତେଲ ଓ ଲୁଣ ମିଶାଇ ଲଗାଇ ପାରିବେ। ଏହାଦ୍ୱାରା ଆପଣଙ୍କ ଦାନ୍ତ ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତ ଓ ସଫା ରହିଥାଏ।
ଆଜ୍ମା ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ: ଆଜ୍ମା ରୋଗୀଙ୍କ ପାଇଁ ସୋରିଷ ତେଲ ରାମବାଣ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ତେଲର ବ୍ୟବହାର ଦ୍ୱାରା ଛାତିରେ କୌଣସି ପ୍ରକାରର ବ୍ଲକେଜ୍ ଆଉ ରହି ନ ଥାଏ। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ସମସ୍ୟା ହୋଇନଥାଏ।
ଖଣ୍ଡିଆ ଭଲ କରିବା ପାଇଁ ଏହା ସାହାଯ୍ୟ କରିଥାଏ: ସାଧାରଣତଃ ଛୋଟ ଛୁଆମାନେ ଖେଳୁଥିବା ବେଳେ ସେମାନଙ୍କ ଗୋଡ଼, ହାତରେ ଆଘାତ ଲାଗିଥାଏ।ଏମିତି ବି ଦେଖିବାକୁ ମିଳେ ଯଦି ଆଘାତ ଟିକେ ଗଭୀର ହୋଇଥାଏ ତେବେ ଖଣ୍ଡିଆ ଶୁଖିବା ପାଇଁ ଅଧିକ ସମୟ ଲାଗିଥାଏ। ଏହି ସମୟରେ ଯଦି ଗାଧୋଇବା ପୂର୍ବରୁ ଆପଣ ଖଣ୍ଡିଆ ହୋଇଥିବା ସ୍ଥାନରେ ସୋରିଷ ତେଲ ଲଗାଇବେ ତେବେ ପାଣିରୁ ଆପଣଙ୍କୁ ଏହା ରକ୍ଷା କରିଥାଏ। ଖଣ୍ଡିଆକୁ ଶୀଘ୍ର ଭଲ କରିବା ପାଇଁ ଦିନକୁ ୧-୨ ଥର ସୋରିଷ ତେଲ ନିହାତି ବ୍ୟବହାର କରନ୍ତୁ ଫଳରେ ଏହା ବହୁତ ଶୀଘ୍ର ଭଲ ହୋଇଯାଇଥାଏ। ସୋରିଷ ତେଲ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରିଥାଏ। ପ୍ରତିଦିନ ଶରୀରରେ ସୋରିଷ ତେଲ ମାଲିସ କଲେ ଫଙ୍ଗଲ୍ ଇନ୍ଫେକସନ୍, ଜଳାପୋଡ଼ା, କୁଣ୍ଡାଇ ହେବା ଓ ଆଲର୍ଜି ଆଦି ଦୂର ହୋଇଥାଏ।
ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଫଳରେ କେଶ ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ।
ସୋରିଷ ତେଲ ବ୍ୟବହାର ଦ୍ୱାରା ଆପଣଙ୍କୁ ଏହିସବୁ ଫାଇଦା ମିଳିଥାଏ। ତେଣୁ ଆଉ ବିଳମ୍ବ ନ କରି ଆଜି ସୋରିଷ ତେଲକୁ ଆପଣଙ୍କ ଡାଇଟ୍ ଓ ଡେଲି ରୁଟିନ୍ରେ ସାମିଲ କରନ୍ତୁ।




admin 