ଶାସକ ବିଜେଡ଼ି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବାରୁ ଗୃହ କାର୍ଯ୍ୟ ଠପ
ଶାସକ ବିଜେଡ଼ି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବାରୁ ଗୃହ କାର୍ଯ୍ୟ ଠପ
admin
Mar 15, 2021 - 10:43
Updated: Mar 15, 2021 - 10:43
ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ଥମିବାର ନାଁ ଧରୁନାହିଁ । ପୂର୍ବଭଳି ପୁଣି ଗୃହର ମଧ୍ୟଭାଗରେ ଶାସକ ବିଜେଡ଼ି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବାରୁ ଗୃହ କାର୍ଯ୍ୟ ଠପ ହୋଇଯାଇଛି । ତିନି ଦଳର ନାରାବାଜିରେ ଗୃହ ପ୍ରକମ୍ପିତ ହୋଇଉଠିଛି । ଗୋଟିଏ ପଟେ ମଣ୍ଡି ଓ ଚାଷୀ ସମସ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ନଛୋଡ଼ବନ୍ଧା ନୀତିରେ ଅଟଳ ଥିବାବେଳେ ଅପରପକ୍ଷରେ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଛି ଶାସକ ବିଜେଡ଼ି । ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରବାର ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।
ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡ଼ିୟମର ବାମ ପାଶ୍ୱର୍ରୁ କଂଗ୍ରେସ ଓ ବିଜେପି ବିଧାୟକମାନେ ମାଡ଼ି ଆସିଥିଲେ । ସେହିପରି ଦକ୍ଷିଣ ପାଶ୍ୱର୍ରେ ଶାସକ ବିଜେଡ଼ି ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ଗୃହର ମଧ୍ୟଭାଗରେ ଉଭୟ ଜୋରଦାର ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ । କଂଗ୍ରେସ ବିଧାୟକମାନେ ଫ୍ଲେକ୍ସ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ଅପରପକ୍ଷରେ ପ୍ରଶ୍ନୋତର କାଳରେ ସହଯୋଗ କରିବାକୁ ବାଚସ୍ପତି ଡକ୍ଟର ପାତ୍ର କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଗୃହରେ ତୁମୁଳ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।
ପୂର୍ବାହ୍ନ ୧୧ଟା ୩୦ରେ ପୁନଶ୍ଚ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାସକ ବିଜେଡ଼ି କ୍ଷମା ପ୍ରାର୍ଥନା ଆମର ଦାବି ବୋଲି ନାରାବାଜି କରିଥିବାବେଳେ କଂଗ୍ରେସ ବିଧାୟକମାନେ ଚାଷୀଙ୍କୁ ମାରିଲା କିଏ, ନବୀନ-ମୋଦି ଆଉ କିଏ ବୋଲି ନାରା ଦେଉଥିବା ଶୁଣିବାକୁ ମିଳିଥିଲା । ବିଜେପି ବିଧାୟକମାନେ ପ୍ରଥମେ ନିଜ ନିଜ ସ୍ଥାନରେ ଠିଆ ହୋଇଥିବାବେଳେ ପରେ ଗୃହର ମଧ୍ୟଭାଗକୁ ଚାଲିଆସି ହାଲାବୋଲ କରିଥିଲେ । ଗୃହରେ ତିନି ଦଳର ହଙ୍ଗାମା ଯୋଗୁଁ ଗୃହକୁ ୧୧ଟା ୩୨ରୁ ୧୫ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ୧୧ଟା ୪୭ରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଅନରୂପ ଭାବେ ବିଧାନସଭା କମ୍ପି ଉଠିଥିଲା । ତିନି ଦଳ ନିଜ ନିଜ ଜିଦରେ ଅଟଳ ରହିବାରୁ ଗୃହ ଚାଲିବା ସମ୍ଭବପର ହୋଇପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ୧୧ଟା ୪୮ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।