ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ
ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ
ମାଲକାନଗିରି: ମାଲକାନଗିରି ଜିଲା ଜୋଡାଆମ୍ବ ଥାନା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବଡଧରଣର ହିଂସାକାଣ୍ଡ ଯୋଜନାକୁ ଯବାନମାନେ ପଣ୍ଡ କରିଛନ୍ତି। ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଟିଫିନ ବୋମା, ଲ୍ୟାଣ୍ଡମାଇନ ବ୍ୟବହୃତ ସାମଗ୍ରୀ, ବିସ୍ଫୋରକ ଦ୍ରବ୍ୟ ସହିତ ଅନେକ ମାଓସାମଗ୍ରୀ ଜବତ କରିଛନ୍ତି ଯବାନମାନେ। ପୁଲିସ କାର୍ୟ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଶ ଜୀ ଓ ବିଏସଏଫ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଗତ ୭ ତାରିଖ ଠାରୁ ସ୍ବାଭିମାନ ଅଞ୍ଚଳରେ ଜୋଡାମ୍ବ ଥାନାସ୍ଥ ନନ୍ଦାମେଜାଂରା ଗ୍ରାମ ଜଙ୍ଗଲରେ ଡିଭିଏଫ, ଏସଓଜି, ବିଏସଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଓ ସର୍ଚ ଅପରେସନ ଚଳାଇଥିଲେ। ସେହି ଜଙ୍ଗଲରେ ସର୍ଚ ଅପରେସନ ବେଳେ ତିନୋଟି ଆଇଡି, ଟିଫିନ ବୋମା, କୋଡେକ୍ସ ତାର, ବହୁ ପରିମାଣର ବିସ୍ଫୋରକ ଦ୍ରବ୍ୟ ଆଦି ପୋତା ଯାଇ ରଖାଯାଇଥିବାର ଦେଖିବାକୁ ପାଇଥିଲେ। ଯବାନମାନେ ଏହାକୁ ଉଦ୍ଧାର କରି ପୁଲିସ ହେଡକ୍ବାର୍ଟସକୁ ଆଣିଥିଲେ। ଯବାନଙ୍କୁ ଟାର୍ଗେଟ କରି ଏହା ରଖାଯାଇଥିବା ପୋଲିସ ସନ୍ଦେହ କରୁଛି।