ରାହୁଲଙ୍କ ପଦଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ସାମିଲ ହୋଇଛି : ବିଜୟ ପଟ୍ଟନାୟକ
ରାହୁଲଙ୍କ ପଦଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ସାମିଲ ହୋଇଛି : ବିଜୟ ପଟ୍ଟନାୟକ
ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନରେ ବିଧିବଦ୍ଧ ଭାବେ କଂଗ୍ରେସ ହାତ ଧରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। କଂଗ୍ରେସରେ ସାମିଲ ହେବା ପରେ ବିଜୟ ପ୍ରତିକ୍ରିୟାରେ କହିଛନ୍ତି, ‘ରାହୁଲଙ୍କ ପଦଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ସାମିଲ ହୋଇଛି। ରାଜ୍ୟ ପାଇଁ ଯାହା କିଛି କରିପାରିବି କରିବି। ରାଜ୍ୟ ପାଇଁ ଏନେକ କିଛି କରିବାର ଲକ୍ଷ୍ୟ ରଖିଛି। ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ମୁଁ ବ୍ୟବାହର କରିବି। ଓଡ଼ିଶାରେ ପ୍ରଶାସନ ଲୋକଙ୍କଠାରୁ ଦୂରରେ ରହିଛି । ପ୍ରଶାସନ ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହା ମୋର ଚେଷ୍ଟା ରହିବ ।‘
ଉଲ୍ଲେଖଯୋଗ୍ୟ, ୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ସେ ୨୦୧୦ ସେପ୍ଟେମ୍ୱର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଥିଲେ। ୨୦୧୩ ପର୍ୟ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ। ପରେ ୨୦୧୩-୧୪ରେ ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନର ଅଧ୍ୟକ୍ଷ ଏବଂ ୨୦୧୪- ୧୫ରେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ରହିଥିଲେ। ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨୦୧୭ରେ ଏହି ପଦରୁ ସେ ଇସ୍ତଫା ଦେଇଥିଲେ ।




admin 