ରାଜ୍ୟ କଂଗ୍ରେସର ହେବ ନବକଳେବର
ରାଜ୍ୟ କଂଗ୍ରେସର ହେବ ନବକଳେବର
admin
Sep 20, 2019 - 09:19
Updated: Sep 20, 2019 - 09:19
ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ହେବ । ଗତ ନିର୍ବାଚନରେ ଦଳ ପାଇଁ ଯେଉଁମାନେ ଭଲ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବା ସହିତ ସାଂଗଠନିକ ଦାୟିତ୍ୱ ଦିଆଯିବ । ଦଳ ବିରୋଧରେ ମତ ଓ ମନ୍ତବ୍ୟ ଦେଇଥିବା ନେତାମାନଙ୍କୁ ଆଉ ବରଦାସ୍ତ କରାଯିବନି । ରାଜ୍ୟ କଂଗ୍ରେସର ସାଂଗଠନିକ ପୁନର୍ବିନ୍ୟାସ ନେଇ କଂଗ୍ରେସ ଭବନରେ ବୈଠକ ପରେ ଏପରି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗାନ୍ଧି ଜୟନ୍ତୀରୁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟ ସ୍ତରରେ ପଦଯାତ୍ରା କରି ଗାନ୍ଧିଙ୍କ ଆଦର୍ଶ ଓ କଂଗ୍ରେସର ନୀତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଦଳରେ ନିଷ୍ପତ୍ତି ହୋଇଛି । ଏଥିସହିତ ଆଜିଠାରୁ ପିସିସିର ସମସ୍ତ କମିଟିକୁ ବାତିଲ କରିଦିଆଯାଇଛି ।
କଂଗ୍ରେସର ଭବନରେ ଦଳର ବରିଷ୍ଠ ନେତାଙ୍କ ସହିତ ଦିନତମାମ ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଥିଲେ, ପୁରୁଣା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦିଆଯିବ । ଏଥିପାଇଁ ତଳୁ ଉପର ଯାଏଁ ଦଳର ସମସ୍ତ କମିଟିର ପୁନର୍ଗଠନ କରାଯିବ । ଏଣିକି ଜୋନାଲ କମିଟି ପରିବର୍ତ୍ତେ ପୂର୍ବଭଳି ବ୍ଲକ ସ୍ତରୀୟ କମିଟି କାର୍ଯ୍ୟ କରିବ । ଗଲା ନିର୍ବାଚନରେ ଦଳ ପାଇଁ ଯେଉଁ କର୍ମୀମାନେ ନିଷ୍ଠାର ସହ କାମ କରିଛନ୍ତି ସେହିମାନଙ୍କୁ ସାଂଗଠନିକ ଦାୟିତ୍ୱ ଦେବାକୁ ଏଆଇସିସି ସ୍ତରରେ ନିଷ୍ପତ୍ତି ହାଇଛି । ଏଥିପାଇଁ ଏଆଇସିସିର ସାଧାରଣ ସମ୍ପାଦକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ସବୁ ଜିଲ୍ଲା ବୁଲିବେ । ଏଣିକି ଦଳ ଓ ନେତାଙ୍କ ବିରାଧରେ ଯିଏ କେହି ବି ମତ ଓ ମନ୍ତବ୍ୟ ଦେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହାଇଥିବା ସେ କହିଥିଲେ ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସ୍ତରରେ ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକାସାଙ୍ଗରେ ପଦଯାତ୍ରା ଆରମ୍ଭ କରାଯିବ । ଗାନ୍ଧୀଙ୍କ ନୀତି ଆଦର୍ଶ ସହ ଦେଶ ବିକାଶରେ କଂଗ୍ରେସର ଅବଦାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ସେହିଭଳି ଅକ୍ଟୋବର ୩ରୁ ୯ ତାରିଖ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲାରେ ବକ୍ତୃତାମାଳା, ସେମିନାର ଓ ଫଟୋ ପ୍ରଦର୍ଶନୀ କରାଯିବ । ସମାନ୍ତରାଳ ଭାବେ ଅକ୍ଟୋବର ୨ରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଉଭୟ ଡିଜିଟାଲ ଓ ପାରମ୍ପରିକ ପୁସ୍ତିକା ମାଧ୍ୟମରେ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ । ଏକଥା ବି ସ୍ଥିର ହୋଇଛି ଯେ ଦଳରେ ନୂତନ ଭାବେ ପ୍ରେରକ ନିଯୁକ୍ତି ଦିଆଯିବ । ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ଦାୟିତ୍ୱ ଦିଆଯିବ । ପ୍ରଶିକ୍ଷଣ ପାଇଁ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କୁ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ସମଗ୍ର ରାଜ୍ୟକୁ ୭ଟି ଜୋନରେ ବିଭକ୍ତ କରାଯାଇ ତିନିଦିନିଆ ଆବାସିକ ପ୍ରଶିକ୍ଷଣ ଦିଆଯିବ । ସେହିଭଳି ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ନେଇ ସବୁ ଜିଲ୍ଲାରେ ଆଲୋଚନାଚକ୍ର କରିବାକୁ ବୈଠକରେ ନିଷ୍ପତ୍ତି ହାଇଛି । ଅକ୍ଟୋବର ୧୫ରୁ ୨୫ ତାରିଖ ଯାଏ ଏହା ଚାଲିବ ।
ତେବେ କଂଗ୍ରେସର ପୁନର୍ଗଠନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଜୋନାଲ କମିଟି ଓ କାର୍ଯ୍ୟକାରୀ ସଭାପତିଙ୍କର ଆବଶ୍ୟକତା ନାହିଁ । କଂଗ୍ରେସକୁ ଆଗକୁ ନେବାକୁ ହେଲେ ରାଜ୍ୟ ସଭାପତିଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବା ଦରକାର । ଗତ ନିର୍ବାଚନରେ ମାଳ ମାଳ ଏଆଇସିସି ସମ୍ପାଦକ, କାର୍ଯ୍ୟକାରୀ ସଭାପତି ଆସିଥିଲେ ବି ଲୋକଙ୍କ ଉପରେ କିଛି ବି ପ୍ରଭାବନ ପଡ଼ିଲାନି । ତୃଣମୂଳ ସ୍ତରରେ ଦଳ ପାଇଁ କେହି ନାହାନ୍ତି । ନିର୍ବାଚନରେ ଟିକେଟ ପାଇଁ ଗୋଷ୍ଠୀକନ୍ଦଳ ଯୋଗୁଁ ଦଳର ବହୁତ ବଦନାମ ହାଇଛି । ତେଣୁ କଂଗ୍ରେସର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଶ୍ରୀ ବାହିନୀପତି କହିଥିଲେ । ବୈଠକରେ ଅନ୍ୟମାନଙ୍କ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ବିଧାୟକ ଓ ସାଂସଦ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ଶରତ ପଟ୍ଟନାୟକ, ଶରତ ରାଉତ ଓ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସବୁ ବିଧାୟକ ଓ ସାସଂଦ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।