ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ୬ଟାରେ ଶପଥ ଗ୍ରହଣ
ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ୬ଟାରେ ଶପଥ ଗ୍ରହଣ

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବାନେଇ ଏବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି । ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଘରେ ଭିଡ଼ ଧୀରେ ଧୀରେ ଭିଡ଼ ହେବାରେ ଲାଗିଛି । ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ମୋଦୀଙ୍କ ବାସଭବନରେ ପହଞ୍ଚୁଥିବା ଜଣାଯାଇଛି । ବିଜେପି ସଭାପତି ଜେ.ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ଜଣାଯାଇଛି ।
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୮୧ ମନ୍ତ୍ରୀ ରହିପାରିବେ । କିନ୍ତୁ ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ସୁଶୀଲ କୁମାର ମୋଦି, ନାରାୟଣ ରାଣେ, ଆରସିପି ସିଂହ, ସନ୍ତୋଷ କୁଶୱାହ, ଜାମୟଙ୍ଗ ସେରିଂ ନାମଗ୍ୟାଲ, ଲକେଟ ଚାଟାର୍ଜୀ, ଦିଲୀପ ଘୋଷ, ଜାଫେଣ ଇସଲାମ, ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ରାମଶଙ୍କର କାଠେରିଆ, ବରୁଣ ଗାନ୍ଧୀ, ଲଲନ ସିଂହ, ରାହୁଲ କୁଶୱାହ, ସିପି ଯୋଶୀ, ସକଲଦୀପ ରାଜଭର ଓ ଅଶ୍ୱିନୀ ବୈଷ୍ଣବ ସାମିଲ ହେବେବୋଲି ଚର୍ଚ୍ଚା ହେଉଛି ।
ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଥିବାବେଳେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ଟିମରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ବର୍ତ୍ତମାନର ସବୁଠୁ ବଡ଼ ଖବର ହେଲା ଅଶ୍ୱିନୀ ବୈଷ୍ଣବ ଏବେ ମୋଦୀଙ୍କ ଘରେ ପହଞ୍ଚିଥିବା ଜଣାଯାଇଛି । ଅନ୍ୟ ନେତାଙ୍କ ଭଳି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ବିଜେଡି ସମର୍ଥନରେ ବୈଷ୍ଣବ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ।