ମିଠା ଖାଇ ସୁସ୍ଥ ରୁହନ୍ତୁ
ମିଠା ଖାଇ ସୁସ୍ଥ ରୁହନ୍ତୁ
admin
Dec 2, 2019 - 12:03
Updated: Dec 2, 2019 - 12:03
ଦେଶୀ ବ୍ୟଞ୍ଜନ ହେଉ କିମ୍ବା ବିଦେଶୀ ବ୍ୟଞ୍ଜନ, ସବୁଥିରେ ଚିନିର ପରିମାଣ ଯଥା ସମ୍ଭବ କମ୍ ରଖିବାକୁ ପରାମର୍ଶ ଦିଆଯାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ ପରିମାଣରେ ମିଠା ଖାଦ୍ୟ ଖାଇଲେ ତାହା କାରଣରୁ ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ସର୍ବାଧିକ । ନିକଟରେ ଜାପାନର କିଞ୍ଜୋ ବିଶ୍ୱ ବିଦ୍ୟାଳୟର ଗବେଷକ ସମୂହ ପରୀକ୍ଷା କରି ପ୍ରକାଶ କରିଛନ୍ତି, ନିୟମିତ ଭାବେ ମିଠା ଖାଇ ମଧ୍ୟ ନିଜକୁ ଫିଟ୍ ରଖିହେବ ଓ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବାରେ କୌଣସି ଅସୁବିଧା ଉପୁଜିନଥାଏ । ପ୍ରାୟ ୧,୫୦୦ ଲୋକ ଏହି ଗବେଷଣାରେ ସାମିଲ ହୋଇଥିଲେ । ପ୍ରଥମ ୬ ମାସ ସେମାନଙ୍କୁ ସକାଳ ଜଳଖିଆରେ ନିୟମିତ ଭାବେ ମିଠା ଖାଦ୍ୟ ଖାଇବାକୁ କୁହାଯାଇଥିଲା । ଦିନର ଅନ୍ୟ ସମୟରେ ଭୋଜନ କଲାବେଳେ ଯେପରି ସେମାନେ ମିଠା ନ ଖାଆନ୍ତି, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଗବେଷକ ଦଳ । ଏଇ ୬ ମାସ ସେମାନଙ୍କର ଓଜନ ନିୟନ୍ତ୍ରଣରେ ରହିବା ସହ ପୂର୍ବ ତୁଳନାରେ ଲୋକେ ନିଜକୁ ଅଧିକ ଫିଟ୍ ଲାଗୁଥିବାର ଅନୁଭୂତି କହିଥିଲେ । ଏହା ପରେ ଆଗାମୀ ୨ ମାସ ସେମାନଙ୍କୁ ଦିନର ଅନ୍ୟ ସମୟରେ ମଧ୍ୟ ମିଠା ଖାଇବାକୁ ଦିଆଯାଇଥିଲା । ମାତ୍ର ଦେଢ଼ ମାସ ମଧ୍ୟରେ ୯୦୦ ଲୋକଙ୍କର ଓଜନ ୬-୭ କିଲୋ ବଢ଼ିଥିଲା ।
ବିଶେଷଜ୍ଞଙ୍କ ମତରେ ମିଠା ଖାଇବାକୁ ଇଚ୍ଛା ହେବା ସ୍ୱାଭାବିକ । ତେବେ ନିର୍ଦ୍ଧିଷ୍ଟ ସମୟରେ ଏହା ଖାଇ ନିଜ ଭୋକକୁ ନିୟନ୍ତ୍ରଣ କରିବା ଉଚିତ ।
ସକାଳ ଜଳଖିଆରେ ଆପଣ ଅନ୍ୟାନ୍ୟ ବ୍ୟଞ୍ଜନ ସହ ଗୋଟିଏ ମିଠା ଖାଇପାରିବେ । ଶଯ୍ୟାତ୍ୟାଗ ପରେ ଆମେ ମେଟାବୋଲିଜିମ୍ ରେଟ୍ ଖୁବ୍ ଭଲ ଥିବାରୁ ଯେ କୌଣସି ବ୍ୟଞ୍ଜନ ଖାଇଲେ, ତାହା ସହଜରେ ହଜମ ହୋଇପାରେ ।
ଅନୁଧ୍ୟାନରୁ ପ୍ରମାଣିତ ହୋଇଛି ଯେ ସକାଳ ଜଳଖିଆରେ ଅନ୍ୟାନ୍ୟ ପୌଷ୍ଟିକ ବ୍ୟଞ୍ଜନ ସହ ମିଠା ଖାଇଲେ ତାହା ଶରୀରର ଓଜନ ନ ବଢ଼ାଇ ବରଂ ନିୟନ୍ତ୍ରଣରେ ରଖେ । ସବୁବେଳେ ଧ୍ୟାନରେ ରଖିବେ, କେବଳ ସକାଳ ବେଳା ହିଁ ମିଠା ଖାଇବା ହିତକର ।