ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା, ଡାହାଣୀ ସନ୍ଦେହ
ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା, ଡାହାଣୀ ସନ୍ଦେହ
admin
Jan 16, 2020 - 12:49
Updated: Jan 16, 2020 - 12:49
ସୁନ୍ଦରଗଡ଼ - ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨) ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମର ଦଶରଥ ଓରାମଙ୍କ ଘରକୁ ବୁଧବାର ସପରିବାର ସହ ଝିଅ ଜ୍ୱାଇଁଙ୍କ ଘରକୁ ଆସିଥିଲେ। ବୁଧବାର ରାତି ୮ ଟା ପାଖାପାଖି ସମୟରେ ସମସ୍ତେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ବସିଥିଲେ। ଏହି ସମୟରେ ଜ୍ୱାଇଁଙ୍କ ସାନ ଭାଇ ରତିକାନ୍ତ ଓରାମ (୩୫)ସେଠାରେ ପହଞ୍ଚି ବାନ୍ଦନିଙ୍କୁ ଦେଖି ଉତକ୍ଷିପ୍ତ ହୋଇ ନିଜ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ତାଙ୍କ ବେକରେ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ବାନ୍ଦନିଙ୍କର ମୃତ୍ୟୁ ହୋଇଥିଲା ।ଏହା ପରେ ପୁଣି ଥରେ ରତିକାନ୍ତ ଟାଙ୍ଗିଆରେ ଆଉ ଏକ ଚୋଟ ପକାଇବାରୁ ପାଖରେ ବସିଥିବା ଜଣେ ଦେଢ ବର୍ଷର ଶିଶୁ ତାନିସ ଓରାମ ଆହତ ହୋଇଥିଲେ। ପରେ ତାର ଅବସ୍ଥା ଗୁରୁତର ହୋଇଥିଲା। ବାନ୍ଦନିଙ୍କୁ ରତିକାନ୍ତ ପୂର୍ବରୁ ଡାହାଣୀ ସନ୍ଦେହ କରି ଆସୁଥିଲା। ଏଥିପାଇଁ ତାଙ୍କୁ ଆମ ଘରକୁ ନ ଆସିବା ପାଇଁ ତାଗିଦ କରିଥିଲା। ବାନ୍ଦନି କୁଆଡେ ଗୁଣିଗାରେଡ଼ି କରୁଥିବାରୁ ତାର ପରିବାର ସବୁବେଳେ ରୋଗରେ ପୀଡ଼ିତ ହେଉଥିବାରୁ ରତିକାନ୍ତ ତାକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲା। ଏହି ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ରତିକାନ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବଣାଇଁ ପୁଲିସ ପହଞ୍ଚି ଶବକୁ ଜବତ କରି ଗୁରୁବାର ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏଣେ ଆହତ ଶିଶୁକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।