ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’
ଭୁବନେଶ୍ୱର: ‘କାଳିଆ’ ପରେ ‘ବଳରାମ’ । ଚାଷୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ପାଇଁ ଆରମ୍ଭ ହୋଇଥିଲା କାଳିଆ ଯୋଜନା । ଏବେ ଭୂମିହୀନ ଓ ଭାଗ ଚାଷୀଙ୍କୁ ଋଣ ଦେବାକୁ ଆରମ୍ଭ ହେବ ‘ବଳରାମ’ ଯୋଜନା । ଜମି ନଥିବାରୁ ସାଧାରଣତଃ ଏହି ଚାଷୀମାନେ ଋଣ ପାଇପାରନ୍ତି ନାହିଁ । ଏଣିକି ‘ବଳରାମ’ ଯୋଜନା ମାଧ୍ୟମରେ ସେମାନେ ଋଣ ପାଇପାରିବେ । ଦୁଇ ବର୍ଷରେ ପ୍ରାୟ ୭ ଲକ୍ଷ ଚାଷୀଙ୍କୁ ୧୦୪୦ କୋଟି ଟଙ୍କାର କୃଷି ଋଣ ଦିଆଯିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ସ୍ତରରେ ‘ଇମେଜ’ ଓ ଜିଲ୍ଲା ସ୍ତରରେ ‘ଆତ୍ମା’ ଏହି ଯୋଜନାର ନୋଡାଲ ଏଜେନ୍ସି ରହିବେ । ବର୍ତ୍ତମାନ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଅଛନ୍ତି । ପ୍ରତି ବର୍ଷ ଗୋଟିଏ ବ୍ୟାଙ୍କ ଶାଖା ଅତି କମ୍ରେ ୧୦ ଜଏଣ୍ଟ ଲିଆବିଲିଟି ଗ୍ରୁପ (ଜେଏଲଜି)ଙ୍କୁ ଋଣ ପ୍ରଦାନ କରିବେ । ଫଳରେ ଚଳିତ ବର୍ଷ ପ୍ରାୟ ୭୦ ହଜାର ଗ୍ରୁପ୍ କୃଷି ଋଣ ପାଇପାରିବେ । ଗୋଟିଏ ଗ୍ରୁପରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ଦୁଇ ବର୍ଷ ମଧ୍ୟର ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀ ଋଣ ପାଇପାରିବେ ବୋଲି ଆକଳନ କରାଯାଇଛି । କୃଷକ ସାଥୀ ଓ ଗ୍ରାମ କୃଷି କର୍ମଚାରୀ (ଭିଏଡବ୍ଲୁ୍ୟ) ଗ୍ରୁପ୍ ଗଠନ କରି ସେମାନଙ୍କ ବ୍ୟାଙ୍କ ମାନଙ୍କ ସହ ସଂଯୋଜିତ କରିବେ । ଋଣ ଯୋଗାଣ ଓ ଋଣ ପଇଠ ଆଦି କାର୍ଯ୍ୟରେ ସେମାନେ ସହଯୋଗ କରିବେ ।