ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମାଙ୍କଡ ଭୟ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମାଙ୍କଡ ଭୟ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମାଙ୍କଡ ଭୟ

ଭୁବନେଶ୍ୱର: ରାଜଧାନୀ ମାର୍କେଟ ବିଲ୍ଡିଂରେ ସର୍ବଦା ଜନସମାଗମ ଥାଏ । ଏହି ଜନସମାଗମ ସ୍ଥାନରେ କାଲି ଗୋଟିଏ ମାଙ୍କଡ଼ ଆସି ଆତଙ୍କ ରଚିଛି । ସକାଳୁ ମାଙ୍କଡ଼ ମାର୍କେଟ ବିଲ୍ଡିଂର ବଜରଙ୍ଗ ଭେଣ୍ଡିଂ ଜୋନରେ ବୁଲୁଥିଲା । ଏ ଦୋକାନରୁ ସେ ଦୋକାନକୁ ଡେଇଁଥିଲା । ବ୍ୟବସାୟୀଙ୍କୁ ଦେଖିଲେ ରାଗି ଯାଇଥିଲା । କେତେକ ଦୋକାନରେ ପଶି ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲା । ପାଟି କରିବାରୁ ସେ କାମୁଡ଼ିବାକୁ ଦୌଡ଼ି ଆସୁଥିଲା । ଭୟରେ କେହି ତା’ ପାଖକୁ ଯାଇନଥିଲେ । ଜଣେ ଦୋକାନୀ ତାକୁ କଦଳୀ ଖାଇବାକୁ ଦେଇଥିଲେ । ଏହି ସମୟରେ ସେ କଦଳୀ ନେଇଯିବା ସହ ସମ୍ପୃକ୍ତ ବ୍ୟକ୍ତଙ୍କୁ କାମୁଡ଼ିବାକୁ ଉଦ୍ୟମ କରିଥିଲା । ଚିତ୍କାର କରିବାରୁ ଅନ୍ୟ ଦୋକାନୀମାନେ ଦୌଡ଼ି ଆସିଥିଲେ ଯାହା ଫଳରେ ମାଙ୍କଡ଼ଟି ଦୋକାନ ଉପରକୁ ପଳାଇ ଯାଇଥିଲା । ହେଲେ ତିନିଜଣ ଦୋକାନୀଙ୍କୁ ରାମ୍ପୁଡ଼ି ଖଣ୍ଡିଆ ଖାବରା କରିଦେଇଥିଲା ।

ଏନେଇ ବ୍ୟବସାୟୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଉକ୍ତ ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ବନ ବିଭାଗ ସୂତ୍ରରୁ ପ୍ରକାଶ, ମାଙ୍କଡ଼ ଦଳରୁ ଉକ୍ତ ମାଙ୍କଡ଼ ଅଲଗା ହୋଇଯାଇଛି । ଦଳ ତାକୁ ତଡ଼ି ଦେବାରୁ ସେ ଉତ୍ପାତ କରୁଛି । କୌଣସି କାରଣକୁ ସେ ସହର ଭିତରକୁ ପଶି ଆସିଥିଲା । ଜନଗହଳି ଦେଖି ସେ ରାଗି ଯାଇଥିଲା । ଲୋକଙ୍କୁ ଦେଖି ସେ କାମୁଡ଼ିବାକୁ ଗୋଡ଼ାଉଥିଲା । ତାକୁ କାବୁ କରାଯାଇଛି । ସୁସ୍ଥ ହେବା ପରେ ତାକୁ କେଉଁ ସ୍ଥାନରେ ଛଡ଼ା ହେବ ସେ ନେଇ ସ୍ଥିର କରାଯିବ ।