ବିଳମ୍ବ ହେବ +୨ ପରୀକ୍ଷା ଫଳ

ବିଳମ୍ବ ହେବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ଯୁକ୍ତ ଦୁଇ ଫଳ ବାହାରିବାରେ ବିଳମ୍ବ ହେବ । ସିବିଏସଇ ଓ ଆଇସିଏସଇ ଠିକ୍ ସମୟରେ ଫଳ ବାହାର କରିଥିବା ବେଳେ ସିଏଚଏସଇ କର୍ତ୍ତୃପକ୍ଷ କିନ୍ତୁ କରୋନା ସଂକ୍ରମଣ ନେଇ ସରକାର ଜାରି କରିଥିବା ବିଭିନ୍ନ କଟକଣାକୁ ଆଳ କରି ମୂଲ୍ୟାୟନରେ ବିଳମ୍ବ ହେଉଥିବା ସଫେଇ ଦେଇଛନ୍ତି । ଏ ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସପି ଓ କଟକ ଭୁବନେଶ୍ୱର ଡିସିପିଙ୍କୁ ସଟଡାଉନ ସମୟରେ ଖାତା ଦେଖିବାକୁ ଚିଠି ଲେଖିଥିଲେ । ହେଲେ ଏବେ ୪ଟି ଜିଲ୍ଲା ଲକଡାଉନ ହୋଇଛି । ଏହି ୪ଟି ଜିଲ୍ଲାରେ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । ଏହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଅବସ୍ଥାକୁ ଦେଖି ବିଚାର କରିବେ । ବର୍ତ୍ତମାନ ଚାଲିଥିବା ଲକଡାଉନ ଓ ସଟଡାଉନ ଉପରେ ଖାତା ଦେଖା ନିର୍ଭର କରୁଛି । ଏଯାଏଁ ଯେହେତୁ ଖାତା ଦେଖା ସରିନି, ତେଣୁ ଫଳ ବାହାରିବା ନେଇ ନିର୍ଦ୍ଧିଷ୍ଟ ତାରିଖ କହି ହେଉନି । ଲକଡାଉନ ଭିତରେ କେତେ ଖାତା ଦେଖା ହୋଇପାରିବ କି ନାହିଁ ତାହା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ତା ପରେ ଫଳ କଥା କହିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।