ବିଭାଗ ବଣ୍ଟନ, ମହାରାଷ୍ଟ୍ର ସରକାରରେ କନ୍ଦଳ ବଢ଼ିଲା
ବିଭାଗ ବଣ୍ଟନ, ମହାରାଷ୍ଟ୍ର ସରକାରରେ କନ୍ଦଳ ବଢ଼ିଲା
admin
Jan 3, 2020 - 05:29
Updated: Jan 3, 2020 - 05:29
ମୁମ୍ବାଇ - ମହାରାଷ୍ଟ୍ରରେ ଗତ ସୋମବାର ଦିନ ମନ୍ତ୍ରିମଣ୍ଟଳ ସମ୍ପ୍ରସାରଣ ହେବାପରଠାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି । ୩ ଦଳର ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶିବସେନା ମଧ୍ୟ ଏହା ସ୍ୱୀକାର କରିଛି । କଂଗ୍ରେସ ବିଧାୟକ ସଂଗ୍ରାମ ଥୋପ୍ତେଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାରୁ ଲୋକେ ପୁନେର କଂଗ୍ରେସ ଅଫିସ୍ ଭଙ୍ଗାରୁଜା କରିଛନ୍ତି । ଶିବସେନା ଏବଂ ଏନ୍ସିପିରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । ଶିବସେନା ବିଧାୟକ ଭାସ୍କର ଯାଦବ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାରୁ ଖୁବ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଯାଦବ ଦାବି କରିଛନ୍ତି ଯେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ବୋଲି ଠାକରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମରାଠି ଦୈନିକ ସାମ୍ନାରେ କୁହାଯାଇଛି ଯେ ଦଳ ପକ୍ଷରୁ କାହାକୁ ମନ୍ତ୍ରୀପଦ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇନି । ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବିଭାଗ ବଣ୍ଟନ । ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ୩ ଦିନ ବିତିଗଲାଣି, କିନ୍ତୁ ଏଯାଏଁ ବିଭାଗ ବଣ୍ଟନ ହୋଇପାରୁନି । ଗତକାଲି ଶିବସେନା, ଏନ୍ସିପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବିଭାଗ ବଣ୍ଟନ ନେଇ ଆଲୋଚନା ବୈଠକ କରିଥିଲେ । କିନ୍ତୁ କିଛି ନିଷ୍କର୍ସ ବାହାରି ପାରିନଥିବା ଜଣାପଡ଼ିଛି । କଂଗ୍ରେସ କୃଷି ବିଭାଗ ଚାହିଥିଲେ ମଧ୍ୟ ଶିବସେନା ଏଥିରେ ରାଜି ନଥିବା ଜଣାପଡ଼ିଛି । ଗୃହ ବିଭାଗକୁ ନେଇ କ୍ୟାବିନେଟ୍ରେ କନ୍ଦଳ ଆରମ୍ଭ ହୋଇଛି । ସୂଚନାନୁଯାୟୀ ଅଜିତ ପାୱାରଙ୍କୁ ଗୃହ ବିଭାଗ ମିଳିବ, ଉଦ୍ଧବ ଠାକ୍ରେଙ୍କ ପୁଅଙ୍କୁ ପରିବେଶ ଏବଂ ପର୍ଯ୍ୟଟନ ବିଭାଗ ମିଳିବ । ଆଜି ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଶିବସେନା ସୂତ୍ରରୁ ଜଣାପଡ଼ିଛି ।