ବିପଦ ବଢ଼ାଇଲା ବୈତରଣୀ, ମହାନଦୀ ବି ଫୁଲୁଛି
ବିପଦ ବଢ଼ାଇଲା ବୈତରଣୀ, ମହାନଦୀ ବି ଫୁଲୁଛି
ଭୁବନେଶ୍ୱର: ଲଗାଣ ବର୍ଷାରେ ବନ୍ୟା ଆଶଙ୍କା ଦେଖା ଦେଇଛି । ବୈତରଣୀ ବିପଦ ସଙ୍କେତ ଡେଇଁଛି ଆଖୁଆପଦାରେ । ଜଳକା ବି ମାଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବଂଶଧାରା କାଶୀନଗରରେ ସତର୍କ ସଙ୍କେତ ଉପରେ ଚାଲିଛି । ବ୍ରାହ୍ମଣୀ, ଇବ, ଋଷିକୂଲ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ତଳମୁଣ୍ଡରେ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଲେ ବନ୍ୟା ଆସିପାରେ ମହାନଦୀରେ ।
ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି, ସତର୍କ ରହିବା ପାଇଁ । ଆବଶ୍ୟକ ମୁତାବକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ସକାଳ ୯ଟାବେଳେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୬.୨୭ ଫୁଟ ଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧,୬୭,୪୪୮ କୁ୍ୟସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୨୧,୪୪୮ କୁ୍ୟସେକ । ସମସ୍ତ ଗେଟ ବନ୍ଦ ରହିଛି । ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ୁଛି । ସକାଳ ୬ଟାବେଳେ ଖଇରମାଳରେ ୨.୧୦ ଲକ୍ଷ କୁ୍ୟସେକ ପାଣି ଛଡ଼ାଯାଉଥିଲା । ୯ଟାବେଳେ ଏଠାରୁ ୨.୪୬ ଲକ୍ଷ କୁ୍ୟସେକ ପାଣି ଛଡ଼ାଯାଉଛି । ବରମୁଳରେ ସକାଳ ୯ଟାବେଳେ ୪.୩୬ ଲକ୍ଷ କୁ୍ୟସେକ ପାଣି ଛଡ଼ାଯାଉଥିଲା । ସକାଳ ୬ଟାବେଳେ ମୁଣ୍ଡୁଳିରୁ ୧,୭୫,୩୯୭ କୁ୍ୟସେକ ପାଣି ଛଡ଼ାଯାଉଥିବାବେଳେ ୯ଟାବେଳେ ଏହା ବଢ଼ି ୨ ଲକ୍ଷ ୪୮ ହଜାର ୬୦୦ ହୋଇଛି । କ୍ରମଶଃ ପାଣି ବଢ଼ୁଛି । ନରାଜରେ ମହାନଦୀର ସତର୍କ ସଙ୍କେତ ୨୫.୪୧ ମିଟର ହୋଇଥିବାବେଳେ ଜଳସ୍ତର ୯ଟାବେଳେ ଥିଲା ୨୩.୭୮ ମିଟର ।
ସେହିପରି ଜଳକା ଜଳସ୍ତର ସକାଳ ୯ଟାବେଳେ ୬.୨୨ ମିଟର ଥିଲା । ଏହା ବିପଦ ସଙ୍କେତଠାରୁ ୦.୭୨ ମିଟର ଉପରେ ରହିଛି । ବଂଶଧାରା କାଶିନଗରରେ ୮୨.୧୫ ମିଟରରେ ପ୍ରବାହିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩.୬୦ମି । ଗୁଣୁପୁରରେ ବି ଫୁଲୁଛି ବଂଶଧାରା । ଚିନ୍ତାର ବଢ଼ାଇଛି ବୈତରଣୀ । ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର । ୯ଟାବେଳେ ଜଳସ୍ତର ୧୭.୮୪ ମିଟର ଛୁଇଁସାରିଛି । କ୍ରମଶଃ ନଈ ବଢ଼ିବାରେ ଲାଗିଛି । ଆନନ୍ଦପୁରରେ ବି ଆଜି ସତର୍କ ସଙ୍କେତ ଟପିପାରେ । ବ୍ରାହ୍ମଣୀ ସ୍ଥିତି ଏବେ ଚିନ୍ତାଜନକ ନଥିଲେ ମଧ୍ୟ ଫୁଲିବାରେ ଲାଗିଛି ।




admin 