ବିଧାନସଭାରେ ଶୋଇଲେ ବିଧାୟକ
ବିଧାନସଭାରେ ଶୋଇଲେ ବିଧାୟକ
ବେଙ୍ଗାଲୁରୁ: ତ୍ରିରଙ୍ଗା ବିବାଦକୁ ବିରୋଧ କରି ବିଧାନସଭାରେ ଶୋଇଛନ୍ତି ବିଧାୟକ। କର୍ଣ୍ଣାଟକର ଗ୍ରାମ ବିକାଶ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପାଙ୍କ ଜାତୀୟ ପତକାକୁ ନେଇ ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟାପୁଛି। ଈଶ୍ୱରପ୍ପାଙ୍କୁ ନିଲମ୍ବିତ କରିବା ଏବଂ ଜାତୀୟ ପତାକା ଉପରେ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ଗୁରୁବାର ବିଧାନସଭା ଗୃହରେ ରାତି ବିତାଇଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଭିତରେ ହିଁ କଂଗ୍ରେସ ବିଧାୟକମାନେ ଶୋଇ ରହି ପ୍ରତିବାଦ କରିଛନ୍ତି।
ଭବିଷ୍ୟତରେ ‘ଗେରୁଆ ପତାକା’ ଜାତୀୟ ପତାକା ହୋଇପାରେ ବୋଲି ନିକଟରେ ଈଶ୍ୱରପ୍ପା ଦାବି କରିଥିଲେ। ତାଙ୍କର ଏହି ବୟାନକୁ ନେଇ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ଗୃହରେ ରାତି କଟାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ବିଧାୟକ ବିଧାନସଭା ଗୃହ ଭିତରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଦି ଏବଂ ତକିଆ ପକାଇ ଶୋଇଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ ଗୁରୁବାର ଦିନ ବିରୋଧୀ ଦଳର ବିଧାୟକଙ୍କ ଆନ୍ଦୋଳନ ହେତୁ ବିଧାନସଭା ସ୍ଥଗିତ ରଖାଯିବା ପରେ ମଧ୍ୟ କଂଗ୍ରେସ ବିଧାୟକମାନେ ଗୃହରେ ଅଟକି ରହିଥିଲେ। ବିଧାୟକଙ୍କ ଆନ୍ଦୋଳନ ଯୋଗୁଁ ଲଗାତାର ଦ୍ୱିତୀୟ ଦିନ ଉଭୟ ଗୃହର କାର୍ୟ୍ୟ ସ୍ଥଗିତ ରହିଥିଲା।
ସେପଟେ ଇଶ୍ୱରପ୍ପା କିନ୍ତୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି। କୌଣସି କାରଣରୁ ତାଙ୍କ ପଦରୁ ଇସ୍ତଫା ଦେବା ପ୍ରଶ୍ନ ଉଠୁନି। ସେ ଜଣେ ଦେଶଭକ୍ତ ବୋଲି କହିଛନ୍ତି।




admin 