ବିଧାନସଭାର ସଂକଳ୍ପ: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଅ
ବିଧାନସଭାର ସଂକଳ୍ପ: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଅ
ଭୁବନେଶ୍ୱର : ‘ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ । ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇଥିଲା । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଅନୁରୋଧ କରାଯିବ ।’ ଏନେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିବାବେଳେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଯାଇଛି ।
ଆଜି ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏସଂକ୍ରାନ୍ତୀୟ ସଂକଳ୍ପ ଆଗତ କରିଥିଲେ । ବିରୋଧୀଙ୍କ ତୁମୁଳ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସଂକଳ୍ପ ଆଗତ କରି କହିଲେଯେ, ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ । ଇଂରେଜ ବିରୋଧରେ ସୁସଂଗଠିତ ଏବଂ ସୁଦୂରପ୍ରସାରୀ ଏହି ବିଦ୍ରୋହ ପରବର୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି । ୧୮୧୭ରୁ ୧୮୨୫ରେ ସଂଗଠିତ ଏହି ପାଇକ ବିଦ୍ରୋହରେ ବହୁ ସମ୍ଭ୍ରାନ୍ତ ଜମିଦାର, ଦଳେଇ, ଦଳବେହେରାଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଲୋକ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇ ଦେଇଥିଲେ । ଏହି ଗଣବିପ୍ଲବରେ କେତେଯେ ଫାଶୀ, କେତେ ଦ୍ୱୀପାନ୍ତର ଆଉ କେତେଜଣଙ୍କୁ ସଶ୍ରମ କାରାଦଣ୍ଡ ଦିଆଗଲା ତାହାର ହିସାବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ।
ମାତୃଭୂମିକୁ ଇଂରେଜ କବଳରୁ ମୁକ୍ତି ପାଇଁ ଯେଉଁ ବିପ୍ଲବୀ ବୀରମାନେ ନୀର୍ଭିକ ଓ ନିଃସ୍ୱାର୍ଥପର ଭାବେ ବଳିଦାନ ଦେଇଛନ୍ତି ସେହି ପବିତ୍ର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପୁନଃ ଅନୁରୋଧ କରିବା ସଂପର୍କରେ ସଂକଳ୍ପ ପାରିତ ହୋଇଥିଲା ।
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂକଳ୍ପ ଆଗତ କରିବା ପରେ ବିଧାୟକ ଧ୍ରୁବ ଚରଣ ସାହୁ ଏହାକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ । ଏହାପରେ ବାଚନିକ ଭୋଟରେ ସଂକଳ୍ପଟି ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା ।




admin 