ବିଜେପିକୁ ନେଇ ଏମିତି କହିଲେ ବିଜୟ
ବିଜେପିକୁ ନେଇ ଏମିତି କହିଲେ ବିଜୟ
ଭୁବନେଶ୍ୱର: ବିଜେପିରେ ବିଜୟ ମହାପାତ୍ର ଅଛନ୍ତି କି ନାହିଁ ସେ ନିଜେ ଜାଣି ନଥିବା କହିଛନ୍ତି। ତେବେ ସେ କାହିଁକି ଏପରି କହିଛନ୍ତି, କେଉଁ ପରିପ୍ରେକ୍ଷୀରେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜାଣିବା। ତେବେ ବିଜୟ ଦୀର୍ଘ କିଛିଦିନ ହେଲା ଦୀୟ କାର୍ୟ୍ୟକ୍ରମରେ ଉପସ୍ଥିତ ରହୁ ନଥିବା ଦେଖାଯାଇଛି। ଏପରିକି ବ୍ରଜରାଜନଗର ନିର୍ବାଚନରେ ତାଙ୍କୁ ପ୍ରଚାର କାର୍ୟ୍ୟରେ ସାମିଲ କରାଯାଇ ନାହିଁ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୩ ବର୍ଷ ହେଲା ଦଳର ସମସ୍ତ କାର୍ୟ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଇଛି । ସେ ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ବିଜେପି ନେତାମାନଙ୍କୁ ପଚାରିଲେ ଏହାର ପ୍ରକୃତ ଉତ୍ତର ସେମାନେ ଦେଇପାରିବେ । ଗତଥର ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କୁ ରଖାଯାଇ ନଥିଲା । ଏଥର ବି ବ୍ରଜରାଜନଗର ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ରଖାଯାଇନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଗତ କିଛିଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଗଣମାଧ୍ୟମକୁ ବୟାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାକୁ ସମାଲୋଚନା କରୁଥିବା ଶ୍ରୀ ମହାପାତ୍ର ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଧରି ରାଜନୀତିକୁ ନାପସନ୍ଦ କରିଛନ୍ତି ।
ସେ ବିଜେପି ନେତା ସମ୍ବିତ ପାତ୍ରଙ୍କ ନାଁ ନଧରି ପରୋକ୍ଷରେ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆମ ଓଡ଼ିଆଙ୍କ ଆରାଧ୍ୟ ଦେବତା । ତାଙ୍କୁ ନେଇ ରାଜନୀତି କରାନଯାଉ । ଶ୍ରୀଜଗନ୍ନାଥଙ୍କୁ କାଖେଇ ଧରି ଖେଳଣା ଭଳି ବ୍ୟବହାର କରାନଯାଉ । ଜଗନ୍ନାଥଙ୍କ ଫଟୋକୁ ଧରି ରାଜନୀତି କରାଯାଉଛି । ତେଣୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତିକ ବିବାଦ କରାଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ପାଟକୁରା ବିଧାନସଭା ନିର୍ବାଚନରେ ପରାଜିତ ହେବା ପରଠୁ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ସାଂଗଠନିକ କାର୍ୟ୍ୟରେ ପ୍ରାୟତଃ ଦେଖିବାକୁ ମିଳୁନି । ଗତ ପ୍ରାୟ ଦୁଇ ବର୍ଷ ହେବ ଶ୍ରୀ ମହାପାତ୍ରଙ୍କୁ ସାଂଗଠନିକ କାର୍ୟ୍ୟରୁ ବିଜେପି ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିଥିବା ଜଣାପଡ଼ିଛି । ତେବେ ଏହା ପଛରେ କ’ଣ କାରଣ ରହିଛି ସେ ନେଇ କେହି ମୁହଁ ଖୋଲୁନାହାନ୍ତି ।




admin 