ବିଜେପି ଜିଲ୍ଲା ସଭାପତି ନିର୍ବାଚନ ୧୪ରୁ
ବିଜେପି ଜିଲ୍ଲା ସଭାପତି ନିର୍ବାଚନ ୧୪ରୁ
admin
Dec 10, 2019 - 09:13
Updated: Dec 10, 2019 - 09:13
ଭୁବନେଶ୍ୱର : ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସାଂଗଠନିକ ନିର୍ବାଚନ ପର୍ବ ଚଳିତ ଡିସେମ୍ବରରେ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ବୁଥ୍ରୁ ୨୪,୫୩୫ ବୁଥ୍ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି । ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ । ସେଥି ପାଇଁ ଆସନ୍ତା ୧୪ରୁ ୧୬ ତାରିଖ ତିନି ଦିନ ଧରି ବିଜେପିର ୩୬ଟି ସାଂଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମୁଖପାତ୍ର ତଥା ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ କହିିଲେ, ବିଜେପି ହେଉଛି ଭାରତର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ଦଳର ଗଣତାନ୍ତ୍ରିକ ପଦ୍ଧତିରେ ବୁଥ୍ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଓ ୧୨ ତାରିଖରେ ପ୍ରତି ଜିଲ୍ଲାକୁ ଦୁଇ ଜଣ ଲେଖାଏ ପର୍ଯ୍ୟବେକ୍ଷକ ଯିବେ । ନବନିଯୁକ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିମାନଙ୍କ ପରାମର୍ଶ ନେଇ ଜିଲ୍ଲା ନିର୍ବାଚନ କରାଯିବ । ବର୍ତ୍ତମାନ ସୁଦ୍ଧା ୩୫ଟି ସାଂଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ଶେଷ ହୋଇଛି । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସାଂସଦ ରାଜୀବ ପ୍ରତାପ ରୁ‡ିଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।