ବିଜେଡି ଛାଡ଼ିବାର ନାହିଁ: ରବୀନ୍ଦ୍ର ଜେନା
ବିଜେଡି ଛାଡ଼ିବାର ନାହିଁ: ରବୀନ୍ଦ୍ର ଜେନା
admin
Sep 23, 2020 - 06:52
Updated: Sep 23, 2020 - 06:52
ଭୁବନେଶ୍ୱର: ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବିଜେଡି ନେତା ତଥା ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମୁଁ ଅସନ୍ତୁଷ୍ଟ ନାହିଁ । ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ, ତାଙ୍କ ପାଇଁ ଲଢିବୁ ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି ଉପନିର୍ବାଚନ ଦାୟିତ୍ୱ ନମିଳିବା କଥାକୁ ମଧ୍ୟ ଶ୍ରୀ ଜେନା ଅସ୍ୱୀକାର କରିବା ସହ କହିଛନ୍ତି ଯେ, ମୁଁ ଦଳର ଜିଲ୍ଲା ସଭାପତି ରହିଛି । ସମସ୍ତଙ୍କୁ ନେଇ କାମ କରିବି ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ରଣନୀତି ଚୂଡ଼ାନ୍ତ କରିଥିବାବେଳେ ଜିଲ୍ଲାସଭାପତି ଥିବା ରବୀନ୍ଦ୍ର ଜେନାଙ୍କୁ ଅଣଦେଖା କରାଯାଇଛି ବୋଲି ଚର୍ଚ୍ଚା ହେଉଥିଲା । ପୂର୍ବରୁ ବାଲେଶ୍ୱରରୁ ରବୀନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ସରଗରମ ଆଲୋଚନା ହେଉଥିଲା । ତେବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଉପରେ ଦଳ ପୁଣି ଭରସା ରଖିଥିବାବେଳେ ରବୀନ୍ଦ୍ର ଜେନାଙ୍କ ପରାମର୍ଶ ନିଆଯାଇନଥିଲା ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ବାଲେଶ୍ୱର ଉପନିର୍ବାଚନ ନେଇ ବିଜେଡିର କସରତ ଜାରି ରହିଛି । ଗୋଷ୍ଠୀ ବିବାଦ ପରେ ଅରୁଣ ଦେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଗତ ୩ ଦିନ ହେଲା ସେଠାରେ ଡେରା ପକାଇଥିବା ପ୍ରତାପ ଜେନାଙ୍କୁ ଶ୍ରୀ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏକ ରୁଦ୍ଧ ଦ୍ୱାର ବୈଠକ ହେଉଥିବା ଚର୍ଚ୍ଚା ହେଉଛି ।