ବାଲାଂଦେଶ ଭାରତରେ ରହିଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ଫେରାଇନେବ
ବାଲାଂଦେଶ ଭାରତରେ ରହିଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ଫେରାଇନେବ
admin
Dec 17, 2019 - 05:57
Updated: Dec 17, 2019 - 05:57
ଢ଼ାକା - ବାଂଲାଦେଶ ରବିବାର କହିଛି କି ଭାରତରେ କେତେ ବାଂଲାଦେଶୀ ଶରଣାର୍ଥୀ ରହୁଛନ୍ତି, ଭାରତ ସରକାର ତାହାର ତାଲିକା ଦିଅନ୍ତୁ । ସେମାନଙ୍କୁ ଫେରାଇ ନେବାକୁ ବାଂଲାଦେଶ ସରକାର ପ୍ରସ୍ତୁତ ଅଛନ୍ତି । ବାଂଲାଦେଶର ବିଦେଶ ମନ୍ତ୍ରୀ ଏ କେ ଅବଦୁଲ ମୋମେନ କହିଛନ୍ତି ଯେ ଭାରତରେ କେତେ ବାଂଲାଦେଶୀ ନାଗରିକ ରହୁଛନ୍ତି, ଆମେ ତାହାର ତାଲିକା ମାଗିଛୁ । ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପୁରା ସୁଯୋଗ ଦିଆଯିବ । ସେ ମଧ୍ୟ କହିଛନ୍ତି ଯେ ଭାରତରୁ ବି କିଛି ଲୋକ ବେଆଇନ ଭାବେ ବାଂଲାଦେଶରେ ପ୍ରବେଶ କରୁଛନ୍ତି । ସେମାନଙ୍କ ଭାରତ ସରକାର ପଠାଇ ନାହାନ୍ତି । ବରଂ କିଛି ଦଲାଲ ସେମାନଙ୍କୁ ବାଂଲାଦେଶରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି କହି ଏଠାକୁ ଆଣୁଛନ୍ତି । ଯଦି ଏଭଳି ଲୋକଙ୍କର ସନ୍ଧାନ ମିଳେ, ବାଂଲାଦେଶ ସରକାର ସେମାନଙ୍କୁ ପୁଣି ଭାରତକୁ ପଠାଇଦେବେ ।
ମୋମେନ ଆହୁରି କହିଛନ୍ତି କି ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ଏବଂ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ନିଜର ଭାରତ ଗସ୍ତ ରଦ୍ଧ କରିବା ସମ୍ପର୍କରେ ସେ କହିଛନ୍ତି କି କିଛି ବ୍ୟସ୍ତତା କାରଣରୁ ସେ ଏହି ଗସ୍ତକୁ ବାତିଲ କରିଛନ୍ତି । ଭାରତରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) ପ୍ରସ୍ତୁତ କରାଯିବା ଦାବି ଉପରେ ସେ କହିଛନ୍ତି ଯେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ଏହା ଉଭୟ ଦେଶର ସମ୍ପର୍କ ଉପରେ ପ୍ରଭାବ ପକାଇବ ନାହିଁ । ବାଂଲାଦେଶରେ ଶାସକ ଆୱାମୀ ଲିଗର ଜଣେ ବରିଷ୍ଠ ନେତା ଅବଦୁଲ କାଦର ମଧ୍ୟ ଅନୁରୂପ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି ଏବଂ ଭାରତ ଦ୍ୱାରା ନିକଟରେ ପ୍ରଣୟନ କରାଯାଇଥିବା ନାଗରିକତା ଅଧିକାର ଆଇନ ଯୋଗୁଁ ଏହା ପ୍ରଭାବିତ ହେବ ନାହିଁ ।