ବାତ୍ୟାକୁ ନେଇ ଆସିଲା ଏହି ବଡ଼ ଖବର, ଜାଣନ୍ତୁ କ’ଣ
ବାତ୍ୟାକୁ ନେଇ ଆସିଲା ଏହି ବଡ଼ ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନ ପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ମଧ୍ୟ ଆକଳନ କରିନାହିଁ ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁୟାୟୀ, ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସେପରି କିଛି ଟ୍ରାକ୍ ରେକର୍ଡ ନାହିଁ। ତେବେ ଆଗାମୀ ୫ ଦିନ ପର୍ୟ୍ୟନ୍ତ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବ ଓ଼ଡ଼ିଶା ଉପରେ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।
ଲଘୁଚାପ ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ କହିଛନ୍ତି।
ଏନେଇ ସବିଶେଷ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ୟ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଥିଲେ, ପୂର୍ବ ଟ୍ରାକ୍ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ। ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି। ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇପାରେ।




admin 