ବଲେରୋ ଓ ମିନିଟ୍ରକରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା କେନ୍ଦୁପତ୍ର ମାଫିଆ ଚମ୍ପଟ, ଖାଲି ବଲୋରୋ, ଟ୍ରକ୍ ଜବତ କଲା ବନ ବିଭାଗ
ବଲେରୋ ଓ ମିନିଟ୍ରକରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା କେନ୍ଦୁପତ୍ର ମାଫିଆ ଚମ୍ପଟ, ଖାଲି ବଲୋରୋ, ଟ୍ରକ୍ ଜବତ କଲା ବନ ବିଭାଗ
ସମ୍ବଲପୁର: ବଲେରୋ ଆଉ ମିନିଟ୍ରକ୍ରେ ଖୁନ୍ଦାଖୁନ୍ଦି ହୋଇ ଭର୍ତ୍ତି ହୋଇଥିଲା କେନ୍ଦୁପତ୍ର। ଖବରପାଇ ଜଙ୍ଗଲ ବିଭାଗ ଚଢ଼ଉ କଲା। ଟ୍ରକ୍ ଆଉ ବଲେରୋ ଜବତ କଲା। ମୋଟ୍ ୪୧୦ ବିଡ଼ା କେନ୍ଦୁପତ୍ର ଜବତ କଲା। ହେଲେ ପତ୍ର ଚୋରା କାରବାର କରୁଥିବା ମାଫିଆ ଚମ୍ପଟ ମାରିଲେ। ତେବେ ପୁଲିସ ହାତରୁ ସେମାନେ ଖସିଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଶନିବାର ବନ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ଚୋରା କେନ୍ଦୁପତ୍ର ସହ ଏଥିରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିଥିବା ବେଳେ ମାଫିଆମାନେ ଫେରାର୍ ହୋଇଯାଇଛନ୍ତି। ଶନିବାର ରାତିରେ ଏକ ବଲେରୋ (ଓଡି ୧୫ଏନ–୪୯୩୯)ରେ ୧୬୦ ବିଡ଼ା ଓ ଏକ ମିନି ଟ୍ରକ୍ (ଓଆର ୧୫ଏଚ–୬୨୮୬)ରେ ୨୫୦ ବିଡ଼ା କେନ୍ଦୁପତ୍ର ବୋଝେଇ ହୋଇ ବାହାରକୁ ଚୋରାଚାଲଣ ହେଉଥିଲା। ଏ ସଂପର୍କରେ ସୂଚନା ପାଇ ବନ ବିଭାଗର ରେଢ଼ାଖୋଲ ରେଞ୍ଜ କର୍ମଚାରୀମାନେ ବିଳମ୍ବିତ ରାତିରେ ରେଢ଼ାଖୋଲ ଏନ୍ଏସିର ଚାଟୁଣି ଗାଁ’ ନିକଟରେ ଚଢ଼ଉ କରିଥିଲେ। ଗାଡ଼ି ଦୁଇଟି ସହ ମୋଟ ୪୧୦ ବିଡ଼ା (୨୦.୫ କ୍ବିଣ୍ଟାଲ୍) କେନ୍ଦୁପତ୍ର ଜବତ କରିଥିଲେ। ତେବେ ଏଥିରେ ସଂପୃକ୍ତ ମାଫିଆମାନେ ବନ କର୍ମଚାରୀଙ୍କୁ ଚକ୍ମା ଦେଇ ଫେରାର୍ ହୋଇଯାଇଥିଲେ। ଚଢ଼ଉରେ ରେଢ଼ାଖୋଲ ରେଞ୍ଜ୍ ଅଧିକାରୀ ମୈତ୍ରୀ ମନଜିତ ବିଶ୍ବାଳ, ଫରେଷ୍ଟର ସୁରେନ୍ଦ୍ର ସାହୁ, ଡୋଳାଧର ମେହେର, ଧର୍ମୁଧର ପ୍ରମୁଖ ସାମିଲ ଥିଲେ।




admin 