ପ୍ରସବ ବେଦନା ଭୋଗୁଥିଲେ ମହିଳା, ନିଜ ଗାଡ଼ିରେ ମେଡିକାଲ୍ ପଠାଇଲେ ଫାଣ୍ଡି ଅଧିକାରୀ

ପ୍ରସବ ବେଦନା ଭୋଗୁଥିଲେ ମହିଳା, ନିଜ ଗାଡ଼ିରେ ମେଡିକାଲ୍ ପଠାଇଲେ ଫାଣ୍ଡି ଅଧିକାରୀ

ପ୍ରସବ ବେଦନା ଭୋଗୁଥିଲେ ମହିଳା,  ନିଜ ଗାଡ଼ିରେ ମେଡିକାଲ୍ ପଠାଇଲେ ଫାଣ୍ଡି ଅଧିକାରୀ

ସମ୍ବଲପୁର: ଗାଁକୁ ତଦନ୍ତ କାମରେ ଯାଇଥିଲେ ଫାଣ୍ଡି ଅଧିକାରୀ। ଦେଖିଲେ ଗାଁରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା। ମାନବିକତା ଦେଖାଇ  ମହିଳାଙ୍କୁ ଉଦ୍ଧାର କରି ଫାଣ୍ଡି ଗାଡ଼ିରେ  ଡାକ୍ତରଖାନାକୁ ପଠାଇଲେ ଫାଣ୍ଡି ଅଧିକାରୀ। ଏମିତି ମହାନତା ଦେଖାଇ ପ୍ରଶଂସା ସାଉଣ୍ଟିଛନ୍ତି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ଖଇରପାଲି ଫାଣ୍ଡି ଦାୟିତ୍ୱରେ ଥିବା ଯୁବ ଏଏସ୍ଆଇ ବିଜୟ ଦେହୁରୀ। ଶ୍ରୀ ଦେହୁରୀ  ଏକ ମାମଲାର ତଦନ୍ତ ପାଇଁ ଶନିବାର ସକାଳେ ଖଣ୍ଡାଧୂଆଁ ରାସ୍ତାଦେଇ ହରିହରପୁର ଗ୍ରାମକୁ ଯାଇଥିଲେ। ସେଠାରୁ କାମ ସାରି ବରଖୋଲ ଗ୍ରାମକୁ ବେଆଇନ ରନ୍ଧା ମଦ କାରବାର ସନ୍ଧାନରେ ବାହାରିଥିଲେ। ୧୦ଟି ଆଦିବାସୀ ପରିବାର ରହୁଥିବା ଉକ୍ତ ଗାଁକୁ ପାଦ ଚଲା ରାସ୍ତା ବ୍ୟତୀତ ଅନ୍ୟ ରାସ୍ତା ନାହିଁ। ଉକ୍ତ ଗ୍ରାମରେ ପହଞ୍ଚିବା ପରେ ସେଠାରେ ପୂର୍ଣ୍ଣଚନ୍ଦ୍ର ଭଦ୍ରାଙ୍କ ସ୍ତ୍ରୀ ସୁଶୀଳା ଭଦ୍ରା(୨୨) ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ ଥିଲା। ଏହା ଦେଖି ଫାଣ୍ଡି ଅଧିକାରୀ ଗାଡ଼ିରେ ପ୍ରସୂତି ମହିଳାଙ୍କୁ ବସାଇ ୪ କିମି ପାହାଡିଆ ଓ ହିଙ୍ଗୁଳା ନାଳ ଅତିକ୍ରମ କରାଇବା ସହ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ସୂଚନା ପାଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ପହଞ୍ଚିବା ପୂର୍ବରୁ ଫାଣ୍ଡି ଗାଡି ସୁଶୀଳାଙ୍କୁ ସେଠାକୁ ନେଇ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାଣ୍ଡି ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପ୍ରସବ ବେଦନାରେ ଥିବା ସୁଶୀଳାଙ୍କୁ ଆମ୍ବୁଲାନ୍ସରେ ଛତାବର ଡାକ୍ତରଖାନାକୁ ପହଞ୍ଚାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଯୁବ ଏଏସ୍ଆଇ ଶ୍ରୀ ଦେହୁରୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।