ପୁଣି ଫେରିଛି ତାତି

ପୁଣି ଫେରିଛି ତାତି

ପୁଣି ଫେରିଛି ତାତି
ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ପୁଣି ଫେରିଛି ତାତି । ୯ଟି ସ୍ଥାନରେ ପାରଦ ୩୮ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଛି । ମଙ୍ଗଳବାର ଭୁବନେଶ୍ୱରରେ ୩୯ ଡିଗ୍ରୀ ଡେଇଁଥିଲା ତାପମାତ୍ରା । ପାଣିପାଗ ପୂର୍ବାନୁମାନ ସତର୍କ କରାଇଛି, ଗରମ ଆହୁରି ବଢ଼ିବ । ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଡେଇଁବା ଆଶଙ୍କା ଅଛି । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଗରମରୁ ନିସ୍ତାର ମିଳିବା ଆଶା କମ୍‌ । ସୋମବାରଠାରୁ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି । ସକାଳ ୧୦ଟାରୁ ଖରା ପ୍ରକୋପ ବଢ଼ିଯାଉଛି । ୧୧ଟାରୁ ଦିନ ୩ଟା ପର୍ୟ୍ୟନ୍ତ ଗରମ ପ୍ରକୋପ ଛଟପଟ କରୁଥିଲା ମଙ୍ଗଳବାର । ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ଅସହ୍ୟ ହୋଇପଡ଼ିଛି । ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଭୁବନେଶ୍ୱର ତାପମାତ୍ରା ୩୯.୩ ଡିଗ୍ରୀ ସେଲସିୟସ୍‌ ଥିଲା । ସୋମବାର ଥିଲା ୩୭.୧ ଡିଗ୍ରୀ । ଦିନକରେ ୨.୨ ଡିଗ୍ରୀ ବଢ଼ିଛି ରାଜଧାନୀ ତାପମାତ୍ରା । କଟକରେ ଗତକାଲି ତୁଳନାରେ ତାପମାତ୍ରା ୨ ଡିଗ୍ରୀ ବଢ଼ି ୩୮.୨ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ କହିବାନୁଯାୟୀ ୧୯ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା ୨ ଦିନ ଭିତରେ ଅନେକ ଜାଗାରେ ତାତି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨୦ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।