ପିପିଲିର ବିକାଶ ମୁଁ ନିଜେ ବୁଝିବି : ନବୀନ
ପିପିଲିର ବିକାଶ ମୁଁ ନିଜେ ବୁଝିବି : ନବୀନ
admin
Apr 12, 2021 - 13:03
Updated: Apr 12, 2021 - 13:03
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି । ଭୁବନେଶ୍ୱରରୁ ସେ ପିପିଲି ନିର୍ବାଚନମଣ୍ଡଳୀବାସୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।
ନବୀନ କହିଛନ୍ତିଯେ, ପିପିଲି-ଡେଲାଙ୍ଗ ଏକ ଐତିହାସିକ ଓ କଳାର ଭୂମି । ଏହାର ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । ଏ ମାଟି ଧନ୍ୟ । ମହାନ ତାହାର ଇତିହାସ । ଆଜି ସାରା ଓଡ଼ିଶା ମହାତ୍ମାଗାନ୍ଧୀ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରୁଛି । ବେରବୋଇ ଆଶ୍ରମରେ ବାପୁ କିଛିଦିନ ରହିଥିଲେ । ମୁଁ ଜାଣେ, ମୋ ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି । ମୁଁ ପିପିଲି-ଡେଲାଙ୍ଗ ଯାଇଥିଲେ ଆପଣ ମୋତେ ଆଶୀର୍ବାଦ କରିବାକୁ ବହୁସଂଖ୍ୟାରେ ଏକାଠି ହୋଇଥା’ନ୍ତେ । କିନ୍ତୁ କୋଭିଡ଼ ସମୟରେ ଏହା ଉଚିତ ହେବନାହିଁ । ମୋ ପାଇଁ କିଏ ବିପଦରେ ପଡ଼ୁ ମୁଁ ତାହା ଚାହେଁନାହିଁ । ତେଣୁ ଭିଡ଼ିଓ କନଫେରେନ୍ସରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ଯାଇ ଆପଣମାନଙ୍କୁ ଭେଟିବି । ପିପିଲି-ଡେଲାଙ୍ଗର ଜନସାଧାରଣ ସବୁବେଳେ ବିଜେଡ଼ି ସହ ଅଛନ୍ତି । ବିଜୁ ବାବୁ ଓ ବିଜୁ ପରିବାର ପ୍ରତି ଆପଣଙ୍କର ବହୁତ ଭଲପାଇବା ଅଛି । ବିଜୁ ବାବୁ ସବୁବେଳେ ଆମର ପ୍ରେରଣା ହୋଇ ରହିଛନ୍ତି । ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ । ମା’ମାନଙ୍କ ବିକାଶ, ଭିତିଭୂମିର ବିକାଶ, ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି । ଆମର ୭୦ ଲକ୍ଷ ମା’ମାନେ ବିକାଶର ସାରଥି ହୋଇଛନ୍ତି । ମା’ଙ୍କ ସମୃଦ୍ଧି, ପରିବାରର ସମୃଦ୍ଧି । ମା’ମାନେ ବହୁସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । କରୋନାକୁ ରୋକିବା ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି । ଆପଣମାନେ ଜାଣନ୍ତି, କରୋନାର ଦ୍ୱିତୀୟ ଲହର ଏବେ ଦେଖାଦେଇଛି । ତେଣୁ ଆମକୁ ସତର୍କ ରହିବାକୁ ହେବ । ମୋର ଅନୁରୋଧ ଆପଣମାନେ କୋଭିଡ଼ ନିୟମ ପାଳନ କରନ୍ତୁ । ଘରୁ ବାହାରିଲେ ଠିକ ଭାବେ ମାସ୍କ ପିନ୍ଧନ୍ତୁ । ପିପିଲି ଡେଲାଙ୍ଗରେ ବହୁତ ଭଲ କାମ ହୋଇଛି । ଆଗକୁ ବି ଭଲ କାମ ପାଇଁ ସୁଯୋଗ ରହିଛି । ସେଠାକାର ବିକାଶ କାମ ମୁଁ ନିଜେ ବୁଝିବି । ବିଜେଡ଼ି ପ୍ରାର୍ଥୀଙ୍କୁ ଅପ୍ରେଲ ୧୭ରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ଦିଅନ୍ତୁ ।