ପଟାଙ୍ଗି ନିର୍ବାଚନମଣ୍ଡଳୀରେ ଜୋରଦାର ଲଢ଼େଇ
ପଟାଙ୍ଗି ନିର୍ବାଚନମଣ୍ଡଳୀରେ ଜୋରଦାର ଲଢ଼େଇ
admin
Apr 2, 2019 - 11:42
Updated: Apr 2, 2019 - 11:42
ପଟାଙ୍ଗୀ: କୋରାପୁଟ ଜିଲ୍ଲାର ସଂରକ୍ଷିତ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତିନି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତିନି ସ୍ୱାଧିନ ପ୍ରାର୍ଥୀ କଡା ଟକ୍କର ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପ୍ରିଲ ୧୧ରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ପରେ ବିଜେଡି ପକ୍ଷରୁ ପ୍ରୀତମ ପାଢ଼ୀ, କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର କାଡାମ, ବିଜେପିରୁ ରାମଚନ୍ଦ୍ର ପାଙ୍ଗି, ବିଏସପିରୁ ମୁରଲୀଧର ଗୁଣ୍ଠା ଏବଂ ସ୍ୱାଧିନ ଭାବେ ଚୈତନ୍ୟ ନନ୍ଦବାଲି ଓ କୃଷ୍ଣଚନ୍ଦ୍ର ଜାନି ପ୍ରମୁଖ ଲଢ଼ିଛନ୍ତି । ଚଳିତ ନିର୍ବାଚନ ପାଇଁ ସମସ୍ତ ପ୍ରକିୟା ସମାପ୍ତ ହୋଇଯାଇଥିବାରୁ ପ୍ରାର୍ଥୀମାନେ ବର୍ତମାନ ଭୋଟର ମୁହାଁ ହୋଇ ନିଜ ନିଜର ପ୍ରତିଶୃତି ବାଂଟିବା ଆରମ୍ଭ କରିଦେଇଛନ୍ତି । ସମୁଦାୟ ୫୮ ପଂଚାୟତ ଅଧିନସ୍ଥ ୧୨୦୩ଟି ଗ୍ରାମକୁ ନେଇ ଗଠିତ ୧୪୫ ନଂ ଏହି ନିର୍ବାଚନମଣ୍ଡଳୀରେ ୧,୮୪,୯୩୭ଜଣ ଭୋଟର ୨୩୬ଟି ବୁଥରେ ସେମାନଙ୍କ ମତ ସାବ୍ୟସ୍ତ କରିବେ । ୨୦୧୯ ଭୋଟର ତାଲିକା ଅନୁଯାୟୀ ୮୯,୬୨୧ ଜଣ ପୁରୁଷ ଭୋଟର ଥିବାବେଳେ ୯୫,୩୧୨ ଜଣ ମହିଳା ଭୋଟର ଓ ୪ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଏହି ନିର୍ବାଚନ ମଣ୍ଡଳୀରୁ ୧୯୯୫ ଏବଂ ୨୦୦୯ ମସିହା ନିର୍ବାଚନରେ ତକ୍ରାଳୀନ ପ୍ରତିନିଧି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ପ୍ରଫୁଲ୍ଲ ପାଙ୍ଗିଙ୍କ ଠାରୁ ହାରିଯାଇଥିଲେ ।
କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଏହି ନିର୍ବାଚନମଣ୍ଡଳୀରେ ୧୨ଥର ନିର୍ବାଚନ ହୋଇଥିବା ବେଳେ ସେଥିରେ ୭ଥର କଂଗ୍ରେସ ଦଳ ବିଜୟ ହାସଲ କରିଛି । ୨ଥର ରାମଚନ୍ଦ୍ର କାଡାମ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ନିଜର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଆଧାର କରି ଚଳିତ ନିର୍ବାଚନୀ ରଣାଙ୍ଗନାରେ ପାରି ହେବା ଆଶା ବାନ୍ଧିଛି । ତେବେ ବିଜେଡି ପ୍ରାର୍ଥୀ ପ୍ରୀତମ ପାଢ଼ି ଚଳିତ ଥର ନୂଆ ମୁହଁ ଭାବେ ଉଭା ହୋଇଥିବାରୁ କିଭଳି ନିଜର ସହଯୋଗୀଙ୍କୁ ନେଇ ପ୍ରତିଦ୍ୱନ୍ଦିଙ୍କୁ ମୁକାବିଲା କରିବେ ତା ଉପରେ ନଜର ରହିଛି । ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗି ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିବାବେଳେ ଗତ ଦୁଇ ବର୍ଷ ଧରି ଦଳରେ ରହି ସଂଗଠନ ସହିତ ସାମିଲ ଥିଲେ । ଗତଥର ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା କୃଷ୍ଣ ଜାନୀ ଏଥର ଦଳୀୟ ଟିକେଟ ନପାଇ ସ୍ୱାଧିନ ଭାବେ ଲଢ଼େଇ କରୁଥିବାରୁ ରାମଚନ୍ଦ୍ର ବିରୋଧୀ ଭୋଟରଙ୍କ ଅସନ୍ତୋଷ ଦୂର କରିବା ପାଇଁ କିଭଳି ରଣ କୌଶଳ ଆପଣେଇବେ ତାହା ଉପରେ ମଧ୍ୟ ନଜର ରହିଛି । ବିଏସପି ପ୍ରାର୍ଥୀ ମୁରୁଲୀଧର ଗୁଣ୍ଠା ପୂର୍ବରୁ ସମିତି ସଭ୍ୟ ଥିବାବେଳେ ବିଜେଡି ସହିତ ମଧ୍ୟ ସାମିଲ ଥିଲେ । ତେବେ ସେ ମଧ୍ୟ ବହୁତ ଭୋଟ ପାଇବା ଆଶାବାନ୍ଧି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଅନ୍ୟ ପକ୍ଷରେ ବିଜେଡିରୁ ଆଶାୟୀ ତାଲିକାରେ ଥିବା ଚୈତନ୍ୟ ନନ୍ଦବାଲି ଟିକେଟ ନପାଇ ସ୍ୱାଧିନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।