ନୟାଗଡ଼ରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।
ନୟାଗଡ଼ରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।
admin
Jun 19, 2020 - 11:51
Updated: Jun 19, 2020 - 11:51
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର କରାଯିବା ସହ ଏହାକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉ । ଏ ନେଇ ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ନୟାଗଡ଼ ଜିଲ୍ଲାର ମହାନଦୀରେ ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି । ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଆଣ୍ଡ କଲଚୁରାଲ ହେରିଟେଜ (ଇନଟାକ) ଏହି ମନ୍ଦିରର ପରୀକ୍ଷଣ କରୁଥିବା ବେଳେ ଏହି ମନ୍ଦିର ପ୍ରମୁଖ ଐତିହାସିକ ମହତ୍ତ୍ୱ ରହିଛି ।
ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ଼ ପାଖ ପଦ୍ମାବତୀ ଗ୍ରାମର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି । ୫୫ ରୁ ୬୦ ଫୁଟ ଜଳମଗ୍ନ ଏହି ମନ୍ଦିର ଚୂଡ଼ାର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫ ଶହ ଶତାବ୍ଦୀର ଶେଷ କିମ୍ବା ୧୬ ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡ଼ୁଛି । ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଏହି ମନ୍ଦିର ଅଜ୍ଞାନ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ତ୍ୱକୁ ଧ୍ୟାନରେ ରଖି ଓଡ଼ିଶାବାସୀଙ୍କ ପାଇଁ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଶ୍ରୀ ପ୍ରଧାନ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।