ନିଜକୁ ଦିଅନ୍ତୁ ସମୟ, ଖୁସିରେ ରହିବେ
ନିଜକୁ ଦିଅନ୍ତୁ ସମୟ, ଖୁସିରେ ରହିବେ
ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକଙ୍କ ପାଖରେ ସମୟ ଅଭାବ। ଏହା ଭିତରେ ଯେମିତି ଅନେକେ ନିଜଠୁ ଦୂରେଇ ଯାଉଛନ୍ତି। କହିବାର ତାତ୍ପର୍ଯ୍ୟ ପାଠପଢ଼ା, ଜବ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଚାପ ଭିତରେ ସେମାନେ ନିଜ ସ୍ବାସ୍ଥ୍ୟ, ନିଜ ରୁଚି ଆଦିକୁ ଅଣଦେଖା କରିବସୁଛନ୍ତି। ତେଣୁ ଏକ ଖୁସି ମନ ଆଉ ସୁସ୍ଥ ଜୀବନ ପାଇଁ ଲୋଡ଼ା କିଛି ସମୟ ନିଜ ପାଇଁ…
ଏତେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜକୁ ଅଣଦେଖା କରିବା ଠିକ୍ ନୁହେଁ। କାରଣ ଦୈନିକ ୨୪ ଘଣ୍ଟାର ସମୟ କାହା ପାଇଁ ୨୫ ଘଣ୍ଟା ହେବା ଅସମ୍ଭବ। ତେଣୁ ସେହି ସମୟ ମଧ୍ୟରୁ ନିଜ ପାଇଁ କିଛି ସମୟ ଅର୍ଥାତ୍ ମି’ ଟାଇମ୍ ବାହାର କରିବାକୁ ହେବ। ଆଉ ସେହି ସମୟରେ ଶରୀରର ଯତ୍ନ ନେବା ସହ ନିଜ ରୁଚି ପ୍ରତି ଧ୍ୟାନ ଦେଲେ ଜୀବନ ଆହୁରି ଖୁସିପୂର୍ଣ୍ଣ ହୋଇପାରିବ…
ଲେଖାଲେଖି ଦେବ ଆନନ୍ଦ: ଲେଖିବାକୁ ଅନେକେ ଭଲପାଆନ୍ତି। ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜର ଏହି ରୁଚିଠାରୁ ଅନେକେ ଦୂରେଇ ଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତିକି, ବ୍ୟସ୍ତତା ଭିତରେ ବି କିଛି ସମୟ ବାହାର କରି ଯଦି ଆପଣ ଲେଖିବେ; ତେବେ ଏହା ଆପଣଙ୍କ କାର୍ଯ୍ୟବ୍ୟସ୍ତତାର ଚାପକୁ ହ୍ରାସ କରିବା ସହ ମନକୁ ସ୍ଥିର ଏବଂ ଶାନ୍ତ ରଖିବାରେ ସାହାଯ୍ୟ କରିବ। ତେଣୁ ଏଥିପ୍ରତି ଆଗ୍ରହ ଥିଲେ ମି’ ଟାଇମ୍ରେ ଏହାକୁ ନିଶ୍ଚୟ ଆଡ୍ କରନ୍ତୁ।
ଏକ୍ସରସାଇଜ୍ ରଖିବ ଫିଟ୍: ଆଜିର ଦିନରେ ସୁସ୍ଥ ରହିବାଠାରୁ ବଡ଼ ବରଦାନ ଆଉ କିଛି ନାହିଁ। ତେଣୁ ଯେତେ କାମ ଥାଉନା କାହିଁକି କିଛି ସମୟ ନିଜ ପାଇଁ ବାହାର କରନ୍ତୁ। ଆଉ ଏହି ସମୟରେ ଓ୍ବାକିଂ, ଏକ୍ସରସାଇଜ୍, ଯୋଗ, ପ୍ରାଣାୟାମ ଆଦି କରନ୍ତୁ। ଦେଖିବେ ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରଖିବାରେ ସାହାଯ୍ୟ କରିବ।
ଟ୍ରାଭେଲିଂ କରେ ମୁଡ୍ ଫ୍ରେଶ୍: ଘର, କଲେଜ, ଟ୍ୟୁଶନ୍, ଅଫିସ୍ ଏସବୁ ଭିତରେ ପ୍ରତିଦିନ ସମୟ ବିତାଇବା ଦ୍ୱାରା କେବେକେବେ ମନ ଭାରାକ୍ରାନ୍ତ ହୋଇପଡ଼େ। ଏମିତିକି କିଛି ସମୟ ବାହାରେ ବୁଲାବୁଲି କରିବା ଦ୍ୱାରା ମୁଡ୍ ଫ୍ରେଶ୍ ହୋଇଯାଏ ବୋଲି ଅନେକ ଯୁବପିଢ଼ିଙ୍କ ମତ ରହିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଯେଉଁଥିପାଇଁ ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ଥେରାପି ଭଳି ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଆନ୍ତୁ।
ଗଛ ଲଗାଇଲେ ମିଳିବ ଖୁସି: ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବାକୁ ବର୍ତ୍ତମାନ ସମସ୍ତଙ୍କୁ ଆହ୍ବାନ ଦିଆଯାଉଛି। ତେଣୁ ଘରେ ହେଉ ବା ବାହାରେ ଅନେକେ ଗଛ ଲଗାଇଥିବା ଦେଖିବାକୁ ମିଳୁଛି। ତେବେ ଏଥିପ୍ରତି ଅନେକଙ୍କର ବିଶେଷ ରୁଚି ରହିଛି। ଆଉ ଯେଉଁମାନେ ପ୍ରତିଦିନ ନିଜ ଗଛରେ ପାଣିଦେବା, ଖତ ସାର ଆଦି ଦେବା, ଏହାର ଯତ୍ନ ନେବା ଆଦିରେ ସମୟ ଅତିବାହିତ କରନ୍ତି, ସେମାନେ ମାନସିକ ସ୍ତରରେ ବେଶ୍ ଖୁସି ରୁହନ୍ତି ଏବଂ ସେମାନଙ୍କଠାରେ ଷ୍ଟ୍ରେସ୍ ଏବଂ ଡିପ୍ରେସନ୍ ଭଳି ସମସ୍ୟା ଦେଖା ଦେଇ ନ ଥାଏ, ଯେଉଁଥିପାଇଁ ଏହାକୁ ମଧ୍ୟ ଏକ ଥେରାପି ଭାବେ ବ୍ୟବହାର କରାଯାଇଥାଏ।
ରୁଚିକୁ ଦିଅନ୍ତୁ ସମ୍ମାନ: ଯଦି ନାଚ, ଗୀତ, ପେଣ୍ଟିଂ, କୁକିଂ, ଆର୍ଟ ଆଣ୍ଡ କ୍ରାଫ୍ଟ ଆଦିରେ ରୁଚି ରହିଛି, ତେବେ କାର୍ଯ୍ୟବ୍ୟସ୍ତତା ଭିତରେ ଏହାକୁ ଚାପି ରଖନ୍ତୁ ନାହିଁ। କାରଣ ପ୍ରତ୍ୟେକ କାମ ଭିତରେ କିଛି ସମୟ ନିଜ ରୁଚିକୁ ଧ୍ୟାନ ଦେଲେ ଏହା ଆପଣଙ୍କୁ ଖୁସି ଦେବ। ତା’ଛଡା ଏହା ଆପଣଙ୍କ ଦକ୍ଷତା ବୃଦ୍ଧି କରିବାରେ ବି ସାହାଯ୍ୟ କରିବ।
ପେଟ୍ ସହ ବିତାନ୍ତୁ ସମୟ: ଅନେକେ ଘରେ ପୋଷା କୁକୁର, ବିଲେଇ, ମୂଷା, ଠେକୁଆ, ଚଢ଼େଇ, ଗିନି ପିଗ୍, ମାଛ ଆଦି ରଖିବା ପ୍ରତି ବେଶୀ ଆଗ୍ରହୀ। ଏମାନଙ୍କ ସହ କିଛି କ୍ୱାଲିଟି ଟାଇମ୍ ବିତେଇବା ଦ୍ୱାରା ଯେତେ ଟେନ୍ଶନ୍ କିମ୍ବା ମେଣ୍ଟାଲ୍ ଷ୍ଟ୍ରେସ୍ ଥିଲେ ସୁଦ୍ଧା ତାହା ହାଲୁକା ହୋଇଯାଏ। ଅନେକ ଯୁବପିଢ଼ି ଷ୍ଟ୍ରେସ୍ ଫ୍ରି ରହିବା ଲାଗି ଏହି ଫର୍ମୁଲାର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ତେଣୁ ଆପଣ ବି ଚାହିଁଲେ ପେଟ୍ ରଖି ତାଙ୍କ ସହ କିଛି ସମୟ ବିତାଇ ପାରିବେ।




admin 