ନବରାତ୍ରର ଅନ୍ତିମ ତିନିଦିନ ପୂଜା ପାଆନ୍ତି କେଉଁ ଦେବୀ, ଜାଣନ୍ତୁ
ନବରାତ୍ରର ଅନ୍ତିମ ତିନିଦିନ ପୂଜା ପାଆନ୍ତି କେଉଁ ଦେବୀ, ଜାଣନ୍ତୁ
ଆଶ୍ୱିନ ମାସ ଶୁକ୍ଳପକ୍ଷର ନ’ ଦିନରେ ଭଗବାନଙ୍କ ପରାଶକ୍ତିକୁ ବିଭିନ୍ନ ରୂପରେ ପୂଜା କରାଯାଏ। ଏହକୁ ନବରାତ୍ରୀ ପୂଜା ବୋଲି କୁହାଯାଏ ଓ ଏହି ପକ୍ଷର ଦଶମ ଦିନରେ ପରାଶକ୍ତିଙ୍କ ଯେଉଁ ପୂଜା ସମାହିତ ହୋଇଥାଏ, ତାକୁ ବିଜୟା ଦଶମୀ ବୋଲି କୁହାଯାଏ। ଏହି ଦଶ ଦିନର ପୂଜାକୁ ଦଶହରା ପର୍ବ କୁହାଯାଇଥାଏ।
ଜୀବନ ଜଞ୍ଜାଳ ଭିତରୁ ସନ୍ଦେହ ରୂପକ ଜାଲକୁ ଛିନ୍ନ କରି ଦ୍ୱନ୍ଦ୍ବ ରୂପକ ବିଷାକ୍ତ ପବନରୁ ମୁକ୍ତ ହେବାକୁ ହେଲେ, ନବରାତ୍ରୀ ପୂଜା ପୁନଃ ଜାଗ୍ରତ ହେବାକୁ ଅବସର ଯୋଗାଇଥାଏ। ନବରାତ୍ରୀ ପୂଜାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ପ୍ରଥମ ଶକ୍ତି ମା’ଦୁର୍ଗା, ଦ୍ୱତୀୟ ଶକ୍ତି ମା’ଲକ୍ଷ୍ମୀ ଏବଂ ତୃତୀୟ ଶକ୍ତି ମା’ସରସ୍ୱତୀ ।
ପ୍ରଥମ ତିନି ଦିନ ପୂଜା ମା’ଦୁର୍ଗାଙ୍କୁ ସମର୍ପିତ କରାଯାଇଥାଏ । ସେ ତ୍ରିବିଧ ରୂପଧାରିଣୀ, ଯଥା- କୌମାରୀ, ପାର୍ବତୀ ଏବଂ କାଳୀ । ଏହି ତିନି ସ୍ୱରୂପ ନାରୀ ଶକ୍ତିର ତିନି ଭାବରେ ପ୍ରକଟିତ। ପ୍ରଥମ ଭାବଟି ହେଉଛି ବାଳିକା, ଦ୍ୱତୀୟଟି ଅମ୍ବା ଓ ତୃତୀୟଟି ଜାୟା ଅର୍ଥାତ ସ୍ତ୍ରୀ ।
ଦ୍ୱତୀୟ ତିନି ଦିନ ଧନଦେବୀ ଲକ୍ଷ୍ମୀଙ୍କ ସମର୍ପିତ ପୂଜା। ଏହି ଶକ୍ତିଙ୍କ ଆରାଧନା ପଛରେ କେବଳ ଧନପ୍ରାପ୍ତିର କାମନା ନୁହେଁ, ନିଜେ ନିଜକୁ ଅନୁଭବ କରିବାର ଦିବ୍ୟ ମନୋଭାବ ସ୍ଥାପିତ ହେଲେ ଜୀବନ ଆନନନ୍ଦରୁ ଆନନ୍ଦ ଆଡକୁ ଗତି କରିଥାଏ । ନବରାତ୍ରିର ପଞ୍ଚମ ଦିବସକୁ, ଲଳିତା ପଞ୍ଚମୀ ନାମରେ ନାମିତ କରାଯାଇଛି । ସେହି ଦିନଟି ଗୃହ, ପରିବାର ନିମନ୍ତେ ଶୁଭଦାୟକ । ତେଣୁ ଏହି ଦିନ ଗୃହରେ ଥିବା ପୋଥି, ଲେଖନୀ ଇତ୍ୟାଦି ଉପକରଣ ଗୁଡିକୁ ପୂଜା ସ୍ଥାନରେ ରଖି ପୂଜା କରାଯାଏ ।
ନବରାତ୍ରୀର ଅନ୍ତିମ ତିନିଦିନ ଜ୍ଞାନ ଦେବୀ ସରସ୍ୱତୀଙ୍କ ସମର୍ପିତ ପୂଜା ଅର୍ଥାତ ଏହା ଜ୍ଞାନର ଉପାସନା । ଯେଉଁଥିରେ ସଂସାର ବନ୍ଧନରୁ ଆତ୍ମା ମୁକ୍ତିଲାଭ କରିପାରିବ । ମନୁଷ୍ୟ ଜୀବନର ଲକ୍ଷ ହେଉଛି ଆତ୍ମଜ୍ଞାନ ଜାଗ୍ରତ କରାଇ ଆତ୍ମା ଶାନ୍ତି ପ୍ରାପ୍ତ କରିବା । ଦେବୀ ସରସ୍ୱତୀଙ୍କ ଉପାସନା ଏହି ମର୍ମରେ ହେବା ଉଚିତ୍ ।