ଦ୍ରୁତ ଗତିରେ ପୁରୀ ସୌନ୍ଦର୍ଯ୍ୟକରଣ ଅଭିଯାନ
ଦ୍ରୁତ ଗତିରେ ପୁରୀ ସୌନ୍ଦର୍ଯ୍ୟକରଣ ଅଭିଯାନ
admin
Oct 30, 2019 - 09:32
Updated: Oct 30, 2019 - 09:32
ଏ ବର୍ଷ ଖର୍ଚ୍ଚ ହେବ ୬୮୪ କୋଟି
ଭୁବନେଶ୍ୱର: ପୁରୀ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଏଥିପାଇଁ ଚଳିତ ଆର୍ଥିକ ବର୍ଷ ୬୮୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅତିରିକ୍ତ ବଜେଟ୍ରୁ ଅବଢ଼ା ଯୋଜନା ଅଧୀନରେ ଏହି ପାଣ୍ଠି ଯୋଗାଅ । ପୂର୍ତ୍ତି ବିଭାଗ ନିକଟକୁ ଚିଠି ଲେଖି ଏଭଳି ଅର୍ଥ ଦାବି କରିଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ।
ଓଡ଼ିଶା ସେତୁ ଓ ନିର୍ମାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଖର୍ଚ୍ଚ ପ୍ରସ୍ତାବ ମୁତାବକ, ୨୦୧୯-୨୦ ର ବଳକା ମାସ ଗୁଡ଼ିକରେ ଶ୍ରୀ ସେତୁ ପ୍ରକଳ୍ପ ପାଇଁ ଆଉ ୨୧୫ କୋଟି ଟଙ୍କା ଦରକାର । ପ୍ରକଳ୍ପ ଉଦେ୍ଧଶ୍ୟରେ ଜମି ଅଧିଗ୍ରହଣ ପାଇଁ ୨୦୦ କୋଟି ଟଙ୍କା ଓ ନିର୍ମାଣ କାର୍ଯ୍ୟ ପାଇଁ ୧୫ କୋଟି ଟଙ୍କା ଦରକାର ।
ଏହାଛଡ଼ା ୨୦୧୯-୨୦ ରେ ଜଗନ୍ନାଥ ବଲ୍ଲଭ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ନିର୍ମାଣ ପାଇଁ ୧୫ କୋଟି ଜେଲ ରୋଡରେ ବହୁ ତଳ ପାର୍କିଂ ବ୍ୟବସ୍ଥା ପାଇଁ ୧୦ କୋଟି, ବଡ଼ଦାଣ୍ଡ ପୌରପାଳିକା ବଜାର ପୁନଃବିଭାଗ ପାଇଁ ୫ କୋଟି ଟଙ୍କାର ପାଣ୍ଠି ଆବଶ୍ୟକ । ଏହା ବ୍ୟତୀତ ପରିକ୍ରମା ସୁରକ୍ଷା ବଳୟ ନିର୍ମାଣ ଉଦେ୍ଧଶ୍ୟରେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଅତିରିକ୍ତ ବଜେଟରୁ ୪୩୯ କୋଟି ଟଙ୍କା ବ୍ୟୟ ବରାଦ ଦାବି କରିଛି ।
ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ମୋଟ ୩,୨୦୦ କୋଟି ଟଙ୍କାର ପାଣ୍ଠିକୁ ନିକଟରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଅନ୍ୟ ଏକ ସଦ୍ୟତମ ସରକାରୀ ତଥ୍ୟ ଦର୍ଶାଇଛି, ଏହି ପାଣ୍ଠିରୁ ୧୫ଟି ପ୍ରକଳ୍ପ ପାଇଁ ୨,୨୦୮ କୋଟି ଟଙ୍କାର ବ୍ୟୟ ଅଟକଳ ଚୂଡାନ୍ତ ହୋଇସାରିଛି ।
ପୁରୀରେ ଐତିହ୍ୟ ସୁରକ୍ଷା ବଳୟ ପ୍ରକଳ୍ପ ପାଇଁ ସର୍ବାଧିକ ୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଐତିହ୍ୟ ସୁରକ୍ଷା ବଳୟ ଉଦେ୍ଧଶ୍ୟରେ ଜମି ଅଧିଗ୍ରହଣ ପାଇଁ ୫୫୦ କୋଟି ଟଙ୍କା ଓ ନିର୍ମାଣ କାର୍ଯ୍ୟ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଏବେ ସର୍ଭେ କାର୍ଯ୍ୟ ଚାଲୁ ରହିଛି ।
ଶ୍ରୀସେତୁ ପ୍ରକଳ୍ପ ବିକାଶ ପାଇଁ ୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ ଯୋଜନା କରାଯାଇଛି । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ୧୯୦ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ଆଉ ୧୯୦ କୋଟି ଟଙ୍କା ଏହାର ନିର୍ମାଣ କରାଯିବ । ନିକଟରେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର କରାଯାଇଛି ।
ଜଗନ୍ନାଥବଲ୍ଲଭ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ପାଇଁ ଚଳିତ ମାସରେ ଟେଣ୍ଡର ଡକାଯାଇଥିବା ବେଳେ ଏଥିପାଇଁ ମୋଟ ୧୯୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏଥିରୁ ୧୦ କୋଟି ଟଙ୍କା ଜମି ଅଧିଗ୍ରହଣ ପାଇଁ ଓ ବଳକା ଅର୍ଥ କେନ୍ଦ୍ରର ନିର୍ମାଣରେ ବ୍ୟୟ ହେବ ।
ମୂଷା ନଦୀ ପୁନରୁଦ୍ଧାର ପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରୁ ୧୬୫ କୋଟି ଟଙ୍କା ଜମି ଅଧିଗ୍ରହଣ ପାଇଁ ଖର୍ଚ୍ଚ ହେବ । ବଳକା ୮୫ କୋଟି ଟଙ୍କାରେ ମୂଷା ନଦୀର ପୁନରୁଦ୍ଧାର କାର୍ଯ୍ୟ ଚାଲିବ । ପୁରୀରେ ହାଉସିଂ ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ପୁରୀ ସହରର ୨ଟି ସ୍ଥାନରେ ବହୁତଳ ପାର୍କିଂ ବ୍ୟବସ୍ଥା ପାଇଁ ୧୮୮ କୋଟି ଟଙ୍କା ଅଟକଳ ହୋଇଛି । ଜେଲ ରୋଡ ଓ ସମୁଦ୍ରକୂଳ ରୋଡର ଏହି ବହୁତଳ କାର ପାର୍କିଂ ବ୍ୟବସ୍ଥା ପାଇଁ ଯଥାକ୍ରମେ ୯୬ କୋଟି ଓ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ ।