ଦେଶରୁ ଗୋଟିଏ ସପ୍ତାହରେ ୨୨ ଲକ୍ଷ ୪୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରୁ ଗୋଟିଏ ସପ୍ତାହରେ ୨୨ ଲକ୍ଷ ୪୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରୁ ଗୋଟିଏ ସପ୍ତାହରେ ୨୨ ଲକ୍ଷ ୪୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ୱରେ କରୋନା ଯୋଗୁଁ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏପରିକି ଆମେରିକା ଓ ବ୍ରାଜିଲକୁ ବି ଭାରତ ପଛରେ ପକାଇ ଦେଇଛି । ଗତ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୨୨ ଲକ୍ଷ ୪୮ ହଜାର ୫୩୩ ହୋଇଥିବାବେଳେ ଆମେରିକାରେ ୪ ଲକ୍ଷ ୧୨ ହଜାର ୫୨୯ ଓ ବ୍ରାଜିଲରେ ୩ ଲକ୍ଷ ୯୭ ହଜାର ୭୧୬ ଜଣ ସଂକ୍ରମିତ ହୋଇଛନ୍ତି । ଲଗାତର ୬ଷ୍ଠ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ଟପିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୭୭୧ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଁଚିଥିବାବେଳେ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଁଚିଛି । ସମ୍ପ୍ରତି ଦେଶରେ ୨୯ ଲକ୍ଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୪୮୭୦୦ ଜଣ ଚିହ୍ନଟ ହୋଇଥିବାବେଳେ ୫୨୪ ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଦିଲ୍ଲୀରେ ୨୦୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୮୦ ଜଣଙ୍କର ମୃତୁ୍ୟ ଘଟିଛି । ଦେଶର ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର (୪୩୪୩୭୨୭), କେରଳ (୧୪୦୫୬୫୫), କର୍ଣ୍ଣାଟକ (୧୩୩୯୨୦୧), ଉତରପ୍ରଦେଶ (୧୦୮୬୬୨୫), ତାମିଲନାଡୁ (୧୦୮୧୯୮୮) ଓ ଦିଲ୍ଲୀ (୧୦୪୭୯୧୬) । ବିଶ୍ୱରେ ଏଯାବତ ୧୪ କୋଟି ୮୪ ଲକ୍ଷ ୬୬ ହଜାର ୨୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଥିବାବେଳେ ୩୧ ଲକ୍ଷ ୩୩ ହଜାର ୨୧୫ ଜଣଙ୍କର ମୃତୁ୍ୟ ହୋଇଛି । ଆମେରିକାରେ ସର୍ବାଧିକ ୩ କୋଟି ୨୮ ଲକ୍ଷ ୭୨ ହଜାର ୩୮୮ ସଂକ୍ରମିତ ହୋଇଥିବାବେଳେ ଏହାପଛକୁ ଭାରତ, ବ୍ରାଜିଲ, ଫ୍ରାନ୍ସ ଓ ଋଷିଆ ଅଛନ୍ତି ।