ଦୀପ ନିଆଁରେ ଜଳିଗଲେ ଗର୍ଭବତୀ

ଦୀପ ନିଆଁରେ ଜଳିଗଲେ ଗର୍ଭବତୀ

ଦୀପ ନିଆଁରେ ଜଳିଗଲେ ଗର୍ଭବତୀ
ଖୋର୍ଦ୍ଧା - ଦୀପ ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିବା ଜଣେ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁକନ୍ୟାଙ୍କ ମୃତୁ୍ୟକୁ ନେଇ ଖୋର୍ଦ୍ଧା ଜିଲ୍ଲା ଅରଶିଇ-ଦୁର୍ଗାପୁର ଓ ଦେଉଳିଆପାଟଣାରେ ଶୋକର ଛାୟା ଖେଳି ଯାଇଛି । ମୃତକ ହେଲେ ଦୁର୍ଗାପୁରର ପ୍ରବୀର କୁମାର ବେହେରାଙ୍କ ସ୍ତ୍ରୀ ସୁମିତ୍ରା (୨୪) । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୧୧ ଦିନ କାଳ ମୃତୁ୍ୟ ସହ ସଂଗ୍ରାମ କରିବ ପରେ ବୁଧବାର ପ୍ରତୁ୍ୟଷରେ ସୁମିତ୍ରା ଆଖି ବୁଜି ଦେଇଛନ୍ତି । ସୂଚନାନୁସାରେ ଗତ ୨୮ ତାରିଖ ସନ୍ଧ୍ୟାରେ ସୁମିତ୍ରା ଘରେ ଧୂପ ଦୀପ ବୁଲାଇବା ପରେ ଅଗଣା ଚଉରାମୂଳରେ ଦୀପ ରଖି ମୁଣ୍ଡିଆ ମାରୁଥିଲେ । ଏହି ସମୟରେ ହଠାତ ଦୀପ ନିଆଁ ତାଙ୍କ ଲୁଗାରେ ଲାଗି ଯାଇଥିଲା । ସେ ନିଆଁ ବାବଦରେ ଜାଣିବା ବେଳକୁ ଶାଢ଼ିର ଅଧାରୁ ଅଧିକ ଅଂଶ ଜଳିବାକୁ ଲାଗିଥିଲା । ତେବେ ୮ ମାସର ଗର୍ଭବତୀ ଥିବାରୁ ସୁମିତ୍ରା ଛାଟିପିଟି ହୋଇ ନିଆଁକୁ ଆୟତ୍ତ କରିପାରିନଥିଲେ । ତାଙ୍କ ପାଟି ଶୁଣି ପରିବାର ଲୋକେ ଅଗଣାକୁ ଆସି ତାଙ୍କ ଦେହରୁ ନିଆଁ ଲିଭାଇଥିଲେ ଓ ତୁରନ୍ତ ହସ୍ପିଟାଲକୁ ନେଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗର୍ଭରୁ ମୃତ ଶିଶୁକନ୍ୟାକୁ ବାହାର କରାଯାଇଥିଲା ଓ ତାଙ୍କ ବଞ୍ଚିବା ଆଶା ସୃଷ୍ଟି ହୋଇଥିଲା । ମାତ୍ର ଶେଷରେ ସୁମିତ୍ରାଙ୍କ ମୃତୁ୍ୟ ଘଟିଲା ।