ଦିଲ୍ଲୀରେ ସମସ୍ତଙ୍କୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍
ଦିଲ୍ଲୀରେ ସମସ୍ତଙ୍କୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ୁଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ନେଉଛନ୍ତି ବଡ଼ ପଦକ୍ଷେପ। ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ରହୁଥିବା ସମସ୍ତ ୧୮ରୁ ୫୯ ବର୍ଷୀୟ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ମାଗଣାରେ ବୁଷ୍ଟର ଡୋଜ୍ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ମାଗଣାରେ ବୁଷ୍ଟର ଡୋଜ୍ ନେଇପାରିବେ।
ଦିଲ୍ଲୀ ସରକାରଙ୍କ ସୂଚନା ଅନୁଯାୟୀ ଏପ୍ରିଲ ୨୧ରୁ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ବୁଷ୍ଟର ଡୋଜ୍ ନେଇପାରିବେ। ଏଥିପାଇଁ କାହାକୁ କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଯୋଗ୍ୟ ହିତାଧିକାରୀମାନେ ଟିକା କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ଡୋଜ୍ର ଫାଇଦା ହାସଲ କରିପାରିବେ।
ଏପ୍ରିଲ ୧୦ରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୮ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ନେବାକୁ ଅନୁମତି ଦେଇଛି। କେନ୍ଦ୍ର ସରକାର କେବଳ ଘରୋଇ ହସ୍ପିଟାଲରେ ବୁଷ୍ଟର ଡୋଜ୍ର ବ୍ୟବସ୍ଥା କରିଛନ୍ତି। ଏହାର ଅର୍ଥ ଲୋକଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍ ନେବାକୁ ପଡ଼ିବ।
ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ହିଁ ଜଣେ ବ୍ୟକ୍ତି/ମହିଳା ବୁଷ୍ଟର ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେବେ।
ବୁଷ୍ଟର ଡୋଜ୍ ସମ୍ପର୍କରେ ଘୋଷଣା ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକାର ଦାମ ହ୍ରାସ କରାଯାଇଥିଲା। ପୂର୍ବରୁ ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍ ଟିକାର ମୂଲ୍ୟ ୬୦୦ ଟଙ୍କା ଥିବା ବେଳେ ଏବେ ଏହା ୨୨୫ ଟଙ୍କାକୁ ହ୍ରାସ ପାଇଛି। ସେହିପରି କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ସର୍ଭିସ ଚାର୍ଜ ବାବଦରେ ସର୍ବାଧିକ ୧୫୦ ଟଙ୍କା ଆଦାୟ କରିବାକୁ କହିଛନ୍ତି। ଦିଲ୍ଲୀ ସରକାର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ୬୦ ବର୍ଷର ଅଧିକ, ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ନିୟମ ଲାଗୁ ହେଉଥିଲା।




admin 