ଦିଲ୍ଲୀ ଗସ୍ତରେ ଚିରଞ୍ଜିବୀ ବିଶ୍ୱାଳ, କାରଣ କଣ ଜାଣନ୍ତୁ

ଦିଲ୍ଲୀ ଗସ୍ତରେ ଚିରଞ୍ଜିବୀ ବିଶ୍ୱାଳ, କାରଣ କଣ ଜାଣନ୍ତୁ

ଦିଲ୍ଲୀ ଗସ୍ତରେ ଚିରଞ୍ଜିବୀ ବିଶ୍ୱାଳ, କାରଣ କଣ ଜାଣନ୍ତୁ

ଭୁବନେଶ୍ୱର : କଂଗ୍ରେସର ସାଂଗଠନିକ ବିନ୍ୟାସକୁ ନେଇ ଏଆଇସିସି ଅଙ୍କ କଷିଚାଲିଛି । ଅପରପକ୍ଷରେ ଯେଉଁ ସବୁ ରାଜ୍ୟରେ ଦୀର୍ଘଦିନ ଧରି ପିସିସି ପୁନର୍ବିନ୍ୟାସ ହୋଇପାରିନାହିଁ ତାହା ଉପରେ ବି ଏଆଇସିସିର ନଜର ରହିଛି । କଂଗ୍ରେସ ଅଳିନ୍ଦରେ ଆଗାମୀ ରାଜନୀତିକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ହଠାତ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଏଆଇସିସିର ଡକରା କଂଗ୍ରେସ ରାଜନୀତିକୁ ସରଗରମ କରିଦେଇଛି  ।

ମିଳିଥିବା ସୂଚନାନୁସାରେ ଏଆଇସିସି ପକ୍ଷରୁ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଡକରା ଆସିଥିଲା  । ଡକରା ପାଇବା ପରେ ଶ୍ରୀ ବିଶ୍ୱାଳ ଦିଲ୍ଲୀ ଗସ୍ତରେ ଯାଇଛନ୍ତି  । ୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ କରିନଥିଲେ  । ନୂଆ ସଭାପତି ଚୟନ ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କୁ ହିଁ ଦାୟିତ୍ୱ ଦିଆଯାଇଛି  । ଇତିମଧ୍ୟରେ ପିସିସି ସଭାପତି ହେବା ପାଇଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ ଉଦ୍ୟମ କରିଥିଲେ  । ରାଜ୍ୟଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସେ ଢେ଼ର ଲବି ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା  । କିନ୍ତୁ ଏକ ନିର୍ଭରଯୋଗ୍ୟ ସୂଚନା ଅନୁଯାୟୀ, ମହମ୍ମଦ ମୁକିମଙ୍କୁ ଏଆଇସିସି ପକ୍ଷରୁ ସବୁଜ ସଂକେତ ମିଳିପାରିଲା ନାହିଁ । ଏପରିକି ତାଙ୍କୁ ପିସିସି ସଭାପତି କରାଯିବାର ସମ୍ଭାବନା ନାହିଁ ବୋଲି ପରୋକ୍ଷରେ ସୂଚିତ କରାଯାଇଥିବା କୁହାଯାଉଛି  । ଅପରପକ୍ଷରେ କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପିସିସି ଦୌଡ଼ରେ ଥିବାବେଳେ ବିଶ୍ୱରଂଜନ ମହାନ୍ତି, ପ୍ରସାଦ ହରିଚନ୍ଦନ ଓ ଶରତ ପଟ୍ଟନାୟକଙ୍କ ଭଳି ଅନେକ ନାମକୁ ନେଇ ବି ଚର୍ଚ୍ଚା ହେଉଥିଲା  । ତେବେ କରୋନା ଯୋଗୁଁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଦୌଡ଼ ଥମି ଯାଇଥିଲା  ।

ଅପରପକ୍ଷରେ ଏଆଇସିସି ସହ କେତେକ ରାଜ୍ୟର ପିସିସି ପୁନର୍ଗଠନ ପାଇଁ ଯୋଜନା କରାଯାଉଥିବାବେଳେ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦିଲ୍ଲୀରୁ ଡକରା ଆସିଛି  । ତେବେ କ’ଣ ପାଇଁ ଡକରା ଆସିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ତାଙ୍କୁ ପିସିସି ସଭାପତି କରାଯାଇପାରେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରିଛନ୍ତି ।
କଂଗ୍ରେସରେ ବିଶ୍ୱାଳ ପରିବାରର ଢେ଼ର ଦବଦବା ରହିଛି । ପୂର୍ବରୁ ଚିରଞ୍ଜିବୀ ବିଧାୟକ ରହିବା ସହ ଦଳର କାର୍ଯ୍ୟକାରୀ ସଭାପତି ମଧ୍ୟ ଥିଲେ । ଏହାଛଡ଼ା ବିରୋଧୀ ଦଳର ଉପନେତା ଭାବେ ବି ଦାୟିତ୍ୱ ତୁଲାଇଛନ୍ତି । ଅପରପକ୍ଷରେ ତାଙ୍କ ଭାଇ ରଂଜୀବ ବିଶ୍ୱାଳଙ୍କୁ କଂଗ୍ରେସ ରାଜ୍ୟସଭା ଟିକେଟ ଦେଇଥିବାବେଳେ ସେ ମଧ୍ୟ ବାଜିମାତ କରିଥିଲେ । ଗାଏମୋଟ ଦେଖିଲେ ଉପକୂଳ ଜିଲ୍ଲାର ସେ ଜଣେ ଟାଣୁଆ ନେତା । ଏହାଛଡ଼ା ତାଙ୍କ ହାତରେ ମିଡ଼ିଆ ଅନୁଷ୍ଠାନ ବି ଅଛି । ସେହିପରି ମୁକିମ ମଧ୍ୟ ତାଙ୍କର ଜଣେ ସମର୍ଥକ ହୋଇଥିବାରୁ ମୁକିମ ମଧ୍ୟ ପ୍ରତିବାଦ କରିବେ ନାହିଁ ବୋଲି କୁହାଯାଉଛି । ତେଣୁ ଉଭୟ ଅଭିଜ୍ଞତା ଓ ଦକ୍ଷତା ଆଧାରରେ ତାଙ୍କୁ ପିସିସି ସଭାପତି କରାଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି ।