ଦନ୍ତା ଆକ୍ରମଣରେ ଆଈ-ନାତୁଣୀ ମୃତ

ଦନ୍ତା ଆକ୍ରମଣରେ ଆଈ-ନାତୁଣୀ ମୃତ

ଦନ୍ତା ଆକ୍ରମଣରେ ଆଈ-ନାତୁଣୀ ମୃତ
ରାଇରଙ୍ଗପୁର/ ବିଶୋଇ: ଜଙ୍ଗଲ ଭିତରେ ଦନ୍ତାହାତୀ ଆକ୍ରମଣ । ଘଟଣାସ୍ଥଳରେ ଆଈ, ନାତୁଣୀଙ୍କର ମୃତୁ୍ୟ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମରଣମୁହଁରୁ ୩ ଜଣ ଅଳ୍ପକେ ବର୍ତି ଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା । ମୃତକ ହେଲେ ଦୁଧକୁଣ୍ଡି ଗ୍ରାମର କାନ୍ଦ୍ରୀ ମୁର୍ମୁ (୪୫) ଓ ତାଙ୍କ ୮ ବର୍ଷୀୟା ନାତୁଣୀ ମେଘନା ବିନ୍ଧାଣୀ । ସକାଳେ ପ୍ରାୟ ୭ଟା ବେଳେ ବିଶୋଇ ବ୍ଲକ ଖଡ଼ମବେଡ଼ା ଗ୍ରାମର ଧାନୀ ବିନ୍ଧାଣୀ (୩୦) ଔ ତାଙ୍କ ଝିଅ ମେଘନା ବିନ୍ଧାଣୀ (୮)ଙ୍କ ସହ ନିକଟସ୍ଥ ଦୁଧକୁଣ୍ଡି ଗ୍ରାମର ଧାନୀଙ୍କ ବାପା ସାଦେ ମୁର୍ମୁ (୫୫), ମାଆ କାନ୍ଦ୍ରୀ ମୁର୍ମୁ (୪୫), ଗ୍ରାମବାସୀ ମାଝିଆ ସୋରେନ (୩୦) ପ୍ରମୁଖ ଗାଁ ପାଖ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲକୁ ଶାଗ ଓ ରାଇଫଳ ଆଣିବା ପାଇଁ ଯାଇଥିଲେ । ସେମାନେ ୩ କିଲୋମିଟର ଜଙ୍ଗଲ ଭିତରକୁ ଯିବା ପରେ ହଠାତ ଏକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇ ଯାଇଥିଲେ । ପ୍ରାଣ ବିକଳରେ ଯିଏ ଯୁଆଡେ଼ ପାରିଲେ ଦୌଡ଼ିଥିଲେ । ହେଲେ କୁନିଝିଅ ମେଘନା ଓ ଆଈ କାନ୍ଦ୍ରୀ କୁଆଡେ଼ ଯାଇପାରିନଥିଲେ । ଉଭୟଙ୍କୁ ଦନ୍ତା ସେଠାରେ ଦଳି ଦେବା ପରେ ମେଘନାଙ୍କ ମାଆ ଧାନୀଙ୍କୁ ଆକ୍ରମଣ କରିଥିଲା । ଖଣ୍ଡିଆ ଖାବରା ସତ୍ତ୍ୱେ ଦନ୍ତା କବଳରୁ ପ୍ରାଣ ବଞ୍ଚାଇବାରେ ସମର୍ଥ ହୋଇଥିଲେ ଧନୀ । ଅନ୍ୟ ୪ ଜଣ ଧାନୀଙ୍କ ବାପା ସାଦେ, ମଝିଆ, ନରସିଂହ ଓ ଦୁଲାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେମାନେ ଫୋନ କରି ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀଙ୍କ ସହ ଖଡ଼ମବେଡା ସପରଞ୍ଚ ଅମର ସିଂ ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଧାନୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନା ପଠାଇଥିଲେ । ଆଈନାତୁଣୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଛି । ଏ ନେଇ ଥାନା କେସ ନଂ ୧୧/୨୧ ରେ ଏକ ମାମଲା ରୁଜୁ ହୋଇଛି ।