ଡିସେମ୍ବର ୨୨ରେ ବାରବାଟୀ ଦିନିକିଆ, ୫ରୁ ଅନ୍‌ଲାଇନ ଟିକେଟ ବିକ୍ରି

ଡିସେମ୍ବର ୨୨ରେ ବାରବାଟୀ ଦିନିକିଆ, ୫ରୁ ଅନ୍‌ଲାଇନ ଟିକେଟ ବିକ୍ରି

ଡିସେମ୍ବର ୨୨ରେ ବାରବାଟୀ ଦିନିକିଆ, ୫ରୁ ଅନ୍‌ଲାଇନ ଟିକେଟ ବିକ୍ରି
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୨ରେ କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ଏଥିପାଇଁ ୫ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ୧୯ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ । ସୁରକ୍ଷା ବୈଠକରେ ପରେ ଓସିଏ ସମ୍ପାଦକ ଓ ପୁଲିସ କମିଶନର ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୯ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ ଲାଗୁ ହେବ । ଏହାଛଡ଼ା ଷ୍ଟାଡିୟମ ଭିତରକୁ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ ହେଲମେଟ ନେବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାରଟୀ ଷ୍ଟାଡିୟମରେ ଖେଳାଯିବ। ଶେଷଥର ୨୦୧୭ରେ ୧୯ ଜାନୁଆରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ଏହା ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯାଇନଥିଲା। ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ତାହା ଟି-୨୦ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ଅଢେଇ ବର୍ଷ ପରେ ବାରବାଟୀକୁ ଅନ୍ତରାଷ୍ଟ୍ରୀୟ ଦିନିକିଆ ମ୍ୟାଚ୍ ଫେରିଛି।