ଡାକ୍ତରଖାନାରେ ଶପଥ ନେଇଥିଲେ ଏୟୂ ସିଂହଦେଓ
ଡାକ୍ତରଖାନାରେ ଶପଥ ନେଇଥିଲେ ଏୟୂ ସିଂହଦେଓ
admin
Jun 6, 2019 - 10:58
Updated: Jun 6, 2019 - 10:58
ଭୁବନେଶ୍ୱର : ସାଧାରଣତଃ ରାଜଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥା’ନ୍ତି । ରାଜ୍ୟପାଳ ରାଜ୍ୟ ବାହାରେ ଥିଲେ ଅବା ଅସୁସ୍ଥ ଥିଲେ ସେଥିପାଇଁ ଅପେକ୍ଷା କରିବା ଏକ ସ୍ୱାଭାବିକ କଥା । କିନ୍ତୁ ୧୯୮୦ ଦଶକରେ ଡାକ୍ତରଖାନାରେ ଜଣେ ମନ୍ତ୍ରୀ କିନ୍ତୁ ଶପଥ ଗ୍ରହଣ କରିଥିଲେ । ଯାହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା ।
ଏହା ହେଉଛି ୧୯୭୬ ମସିହାର କଥା । ନନ୍ଦିନୀ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯିବା ପରେ ତାଙ୍କ ସ୍ଥାନରେ ବିନାୟକ ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେତେବେଳେ ରାଜ୍ୟ ରାଜନୀତିରେ ବଲାଙ୍ଗୀର ରାଜ ପରିବାରର ବେଶ ପ୍ରାଧାନ୍ୟ ରହିଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗୀରର ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୃତୁ୍ୟ ପରେ ତାଙ୍କ ସାନ ପୁଅ ଅନଙ୍ଗ ଉଦୟ ସିଂହଦେଓ କଂଗ୍ରେସରେ ଯୋଗ ଦେଇଥିଲେ । ତେଣୁ ରାଜନୀତିକ ଆବଶ୍ୟକତା ଦୃଷ୍ଟିରୁ ଅନଙ୍ଗଙ୍କୁ ମନ୍ତ୍ରୀ ପଦ ଦେବାକୁ ବିନାୟକ ଆଚାର୍ଯ୍ୟ ନିଷ୍ପତି ନେଇଥିଲେ । କିନ୍ତୁ ସେତେବେଳେ କାମଚଳା ରାଜ୍ୟପାଳ ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶିବ ନାରାୟଣ ଶଙ୍କର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହୃଦରୋଗରେ ଆକ୍ରାନ୍ତ ହୋଇ କାମଚଳା ରାଜ୍ୟପାଳ କଟକ ବଡ଼ ମେଡ଼ିକାଲର ଆଇସିୟୂରେ ଥିଲେ । ହେଲେ ଏୟୂ ସିଂହଦେଓଙ୍କୁ ସେହି ଆଇସିୟୂରେ ହିଁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା ।