ଡରାଇଲାଣି ଅଜଣା ରୋଗ, ୧୦ ଦିନରେ ଗଲାଣି ୧୧ ଜୀବନ
ଡରାଇଲାଣି ଅଜଣା ରୋଗ, ୧୦ ଦିନରେ ଗଲାଣି ୧୧ ଜୀବନ

ମାଲକାନଗିରି: ମାଥିଲି ବ୍ଲକ୍ ଟେମୃପାଲ୍ଲୀ ପଞ୍ଚାୟତର ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ଗତ ୧୦ ଦିନରେ ଗଲାଣି ୧୧ଜଣଙ୍କ ଜୀବନ । ବେଆଇନ ଭାବେ ଲୋକଙ୍କ ଚିକିତ୍ସା କରିଥିବା ଏବଂ ସେମାନଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଜଣେ କ୍ୱାକ୍କୁ ପୁଲିସ୍ ଗିରଫ କରିଛି । ତା ନାଁ ନରେନ୍ଦ୍ର ମାଦ୍ରି, ଘର ସାଲିମି ଅଞ୍ଚଳରେ । ମାଥିଲି ପୁଲିସ୍ ତାକୁ ଆଜି କୋର୍ଟ ଚାଲାଣ କରିଛି । ପ୍ରାଣ ହରାଇଥିବା ୧୧ଜଣଙ୍କ ମଧ୍ୟରେ ଅଛନ୍ତି ହଲଦୀକୁଣ୍ଡ ଗାଁର ମାସା ମାଡକାମୀ ।
ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମିୟ କୁମାର ସ୍ୱାଇଁ ମାତ୍ର ୬ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ କିଡନୀଜନିତ ରୋଗରେ ଆଖି ବୁଜିଥିବା କହିଛନ୍ତି । ଶୁକ୍ରାବର ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ହଳଦୀକୁଣ୍ଡରେ ପହଞ୍ଚି ପରସ୍ଥିତି ଅନୁଧ୍ୟାନ କରିଛି । ୧୫ଜଣ ଆକ୍ରାନ୍ତଙ୍କୁ ମେଡିକାଲ୍ ଯିବାକୁ ପରାମର୍ଶ ଦେଇଛି । ୪ଜଣ ଗୁରୁତର ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ହଳଦୀକୁଣ୍ଡରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ହାତଗୋଡ ଫୁଲିଯିବା ସହ ଜ୍ୱର ହେଉଛି । ପରେ ପରେ ଲୋକଙ୍କ ମୃତ୍ୟୁ ହୋଇଯାଉଛି । ଅନ୍ୟପକ୍ଷରେ ଦୁର୍ଗମ ଅଞ୍ଚଳର ଏହି ଲୋକେ ଡାକ୍ତରଖାନା ନଯାଇ ଗୁଣିଆ ଏବଂ କ୍ୱାକ୍ଙ୍କ ପାଖକୁ ଯାଉଛନ୍ତି । କ୍ୱାକ୍ଙ୍କ ଦ୍ୱାରା ଚିକିତ୍ସିତ ହୋଇ ପ୍ରାଣ ହରାଉଛନ୍ତି । ଗତ ୧୦ ଦିନରେ ବିଭିନ୍ନ କାରଣରୁ ୧୧ଜଣ ଆଖି ବୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।