ଠାବ ହେଲା ଲେଡି ବ୍ଲାକ୍ମେଲର ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍
ଠାବ ହେଲା ଲେଡି ବ୍ଲାକ୍ମେଲର ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସଫଳତା ମିଳିଛି । ଦୀର୍ଘ ଦିନ ଧରି ନିଖୋଜ ଥିବା ଏଣ୍ଡେଭର କାର୍ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଛି । କାର୍ର ଆଗ କି ପଛ ନମ୍ବର ପ୍ଲେଟ୍ ନାହିଁ । ସେ ଗାଡ଼ି ଅର୍ଚ୍ଚନାଙ୍କର ବୋଲି ଅନୁମାନ କରାଯାଉଥିଲା । ପରେ ଇଡିର ଅଧିକାରୀମାନେ ସେଠାରେ ପହଞ୍ଚି ଗାଡ଼ିର ଇଂଜିନ ଓ ଚେସିସ୍ ନମ୍ବର ଯାଞ୍ଚ କରିବା ପରେ ତାହା ଅର୍ଚ୍ଚନାଙ୍କ ଏଣ୍ଡେଭର ବୋଲି ସ୍ପଷ୍ଟ ହୋଇଛି ।
୨୦୧୬ରେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଥିବା ଅର୍ଚ୍ଚନା ୨୦୨୦ ଶେଷ ବେଳକୁ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ତାହା ଜାଣିବା ପାଇଁ ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତ ବେଳେ ଅର୍ଚ୍ଚନା ଚଢୁ଼ଥିବା ଏଣ୍ଡେଭର କାର୍ର ପତ୍ତା ମିଳି ନଥିଲା । ଯେଉଁ କାର୍କୁ ଜଣେ ନେତା ଅର୍ଚ୍ଚନାଙ୍କୁ ଉପହାର ଦେଇଥିଲେ । ଏ ବିଷୟରେ ଇଡି ପ୍ରମାଣ ପାଇବା ପରେ ଗାଡ଼ି ବିଷୟରେ ଜଣିବାକୁ ଖଗେଶ୍ୱର ପାତ୍ରଙ୍କୁ ପଚାରିଥିଲା । ହେଲେ ସେ କୌଣସି ଉତ୍ତର ଦେଇ ପାରି ନଥିଲେ ।
ଏହାପରେ ଇଡି ଅଧିକାରୀମାନେ ଗାଡ଼ିର କାଗଜପତ୍ର ଯାଞ୍ଚ କରି ସୋରୁମ ମାଲିକଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଗାଡ଼ି ବିଷୟରେ ଜାଣିବା ପାଇଁ ଇଡି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)କୁ ଚିଠି ଲେଖିଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ ଗାଡ଼ି ରଖିଥିବା ବ୍ୟକ୍ତି ଲୁଚିଛପି ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଏଣ୍ଡେଭର କାର୍କୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରୟାଲ୍ କଲେଜର ଦ୍ୱିତୀୟ ଗଳି ନିକଟରେ ଛାଡ଼ି ଦେଇ ପଳାଇଥିଲେ । ଗାଡ଼ିରୁ ଆଗ ଓ ପଛ ନମ୍ବର ପ୍ଲେଟ୍ ବାହାର କରି ଦେଇଥିଲେ । ଶନିବାର ରାତି ସାଢ଼େ ୧୦ରେ ଏ ବିଷୟରେ ଖବର ପାଇ ଇଡିର ଅଧିକାରୀମାନେ ସେଠାରେ ପହଞ୍ଚି ଗାଡ଼ିକୁ ଜବତ କରିଛନ୍ତି ।




admin 