ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ବାଘେଲା ବାପ-ପୁଅ ବିବାଦ ପୁରୁଣା

ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ବାଘେଲା ବାପ-ପୁଅ ବିବାଦ ପୁରୁଣା

ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ବାଘେଲା ବାପ-ପୁଅ ବିବାଦ ପୁରୁଣା

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦକୁମାର ବାଘେଲ ଗିରଫ ହେବା ଏବଂ ତାଙ୍କ ପୁଅ ଭୂପେଶ ବାଘେଲଙ୍କ ଦ୍ୱାରା ଜେଲ ପଠାଯିବା ଘଟଣା ଅଡ଼ୁଆ ଲାଗିପାରେ, ମାତ୍ର ଏହା ପଛରେ ଏକ ଇତିହାସ ଅଛି । ବାଘେଲ ଅନେକ ସମୟରେ ତାଙ୍କ ବାପାଙ୍କ ସହ ଅମେଳ ଥିବା ବାହାରେ ପ୍ରକାଶ କରିଛନ୍ତି, ଯେଉଁ କାରଣରୁ ଏପରି ଘଟଣା ଘଟିବା ଅସମ୍ଭବ ନୁହେଁ । ଭାରତୀୟ ରାଜନୀତିରେ ସଂସ୍କାରୀ ରାଜନୈତିକ ପରିବାର ବୋଲି ଦର୍ଶାଇବା ପାଇଁ ସମସ୍ତେ ଏକାଠି ଥିବା ଫଟୋ ଅନେକ ସମୟରେ ପ୍ରକାଶ କରିଥାନ୍ତି । ପରିବାରରେ ମତଭେଦ ଅଛି ବୋଲି ବାହାରକୁ ଦେଖାଇବା ରାଜନୈତିକ କ୍ଷତିର କାରଣ ହୋଇଥାଏ । ତେବେ ବାଘେଲ ଏ କ୍ଷେତ୍ରରେ ପ୍ରଥମ ନୁହନ୍ତି । ତାଙ୍କ ପୂର୍ବରୁ ଅର୍ଜୁନ ସିଂହ ପରିବାର, ଶୁକ୍ଳା ପରିବାର ଓ ସିନ୍ଧିଆ ପରିବାରରେ ଏପରି ମତଭେଦ ପଦାକୁ ଆସିଛି । ବିଶ୍ୱସନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ୧୯୯୩ ମସିହା ପ୍ରାରମ୍ଭରେ ଯୁବ ଭୂପେଶ ଅବିଭକ୍ତ ମଧ୍ୟପ୍ରଦେଶର ପଟନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ । ତାଙ୍କ ବାପା ନନ୍ଦକୁମାର ସେତେବେଳେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସମାଜବାଦୀ ଥିଲେ । ପୁଅ କଂଗ୍ରେସରୁ ଛିଡ଼ା ହେବାଟାକୁ ସେ ପସନ୍ଦ କରୁ ନ ଥିଲେ । ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ‘ମୁଁ ମୋ ପୁଅ ବିରୋଧରେ ଭୋଟ ଦେଇଛି’ ବୋଲି ସର୍ବସାଧାରଣରେ କହିଥିଲେ । ଭୂପେଶ ଏମଏଲଏ ଭାବେ ନିର୍ବାଚିତ ହେବା ପୂର୍ବରୁ ନିଜର ବିଏସସି ପଢ଼ା ଛାଡ଼ିଦେବା ଘଟଣା ନନ୍ଦକୁମାରଙ୍କୁ ବହୁତ ବାଧିଥିଲା ଏବଂ ସେ ପୁଅକୁ ବହୁତ ଗାଳିଦେଇଥିଲେ । ସେତେବେଳେ ଭୂପେଶ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ, ଯେଉଁ ସ୍ୱପ୍ନ ସେ ୨୦୧୮ ଡିସେମ୍ବର ୧୨ରେ ପୂରଣ କରିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରବିଶଙ୍କର ଶୁକ୍ଳାଙ୍କ ପାରିବାରିକ ବ୍ୟବସାୟ ଭିତରେ ପଶିବାକୁ ତାଙ୍କ ପୁଅ ଶ୍ୟାମ ଓ ବିଦ୍ୟା ଚାହୁଁ ନ ଥିଲେ । ଶୁକ୍ଳା ପୁଅମାନଙ୍କୁ ରାଜନୀତିରେ ପୂରାଇ ଦେଉ ନ ଥିଲେ । ରବିଶଙ୍କରଙ୍କ ମୃତୁ୍ୟ ପରେ ହିଁ ଦୁଇଭାଇ ରାଜନୀତିକୁ ଆସିଥିଲେ ।