ଚେଲ୍ଲାକୁମାରଙ୍କ ଟାର୍ଗେଟରେ ପାଣ୍ଡିଆନ-ପ୍ରଭାକରନ

ଚେଲ୍ଲାକୁମାରଙ୍କ ଟାର୍ଗେଟରେ ପାଣ୍ଡିଆନ-ପ୍ରଭାକରନ

ଚେଲ୍ଲାକୁମାରଙ୍କ ଟାର୍ଗେଟରେ ପାଣ୍ଡିଆନ-ପ୍ରଭାକରନ

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ବିରାଟ ସଭାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସିର ବରିଷ୍ଠ ନେତା ସାଂସଦ ଡ. ଏ.ଚେଲ୍ଲା କୁମାର ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟରେ ଚାଲିଥିବା ଦୁର୍ନୀତି କଥା ଉଠାଇ ଚେଲ୍ଲାକୁମାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ଚେଲ୍ଲାକୁମାର କହିଛନ୍ତି, ରାଜ୍ୟରେ ବ୍ୟାପକ ଦୁର୍ନୀତି ହେଉଛି । ରାଜ୍ୟ ରାଜସ୍ୱର ହରିଲୁଟ ହେଉଛି । ଜଣେ ଆଇଏଏସ ଅଫିସର ପାଣ୍ଡିଆନ ଓ ଜଣେ ତାମିଲୀୟ ଉଦ୍ୟୋଗୀ ତଥା ଖଣି ମାଫିଆ ପ୍ରଭାକରନଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଛି । ନୂଆ ପିସିସି ସଭାପତି ଏସବୁ ଦୁର୍ନୀତିର ପର୍ବ୍ଦାଫାସ କରି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବେ । ବ୍ୟାପକ ଆନେ୍ଦାଳନ ଦ୍ୱାରା ଏସବୁ ଦୁର୍ନୀତି ଲୋକଙ୍କ ସାମ୍ନାକୁ ଅଣାଯିବ ।

  ଚେଲ୍ଲାକୁମାର ଆଉ ଏକ ସାଂଘାତିକ ଅଭିଯୋଗ ଉଠାଇଥିଲେ । ସେ କହିଲେ, ବିଜେପି-ବିଜେଡି ଭିତରେ ଅସାଧୁ ଗୁପ୍ତ ବୁଝାମଣା ରହିଛି । ଏହାର ପ୍ରମାଣ ଆଗାମୀ ରାଷ୍ଟ୍ରପତି ନିର୍ବାଚନରୁ ମିଳିଯିବ । ଜୁଲାଇ ୧୮ରେ ବିଜେଡି କାହାକୁ ଭୋଟ ଦେଉଛି, ସେଥିରୁ ସ୍ପଷ୍ଟ ପ୍ରମାଣ ମିଳିବ । ଆମେ କେବଳ ବିରୋଧୀ ବୋଲି ଏ  ଅଭିଯୋଗ ଆଣୁନାହୁଁ । ଏ ଦୁଇ ଦଳର ଭିତିରି ସମ୍ପର୍କ ବାବଦରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଜୀ ମଧ୍ୟ ଅଭିଯୋଗ ଉଠାଇଛନ୍ତି । ଏ କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

  ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ କଂଗ୍ରେସ  ଏକଜୁଟ ଥିବାର ବାର୍ତ୍ତା ଦେଇଥିଲା । ନୂଆ ସଭାପତି ଶରତ କହିଲେ, ୨୦୨୪ରେ କଂଗ୍ରେସ ସରକାର ଗଢ଼ିବ । ୨୦୨୪ ପାଇଁ କଂଗ୍ରେସର ମିଶନ ହେଲା ୯ରୁ ୯୦ । ବିଧାନସଭାରେ ୯୦ ଆସନ ଜିତି କଂଗ୍ରେସ କ୍ଷମତାକୁ ଫେରିବ । ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ, ଆନେ୍ଦାଳନ ଓ ଲଢେ଼ଇ କରିବାକୁ ହେବ । ସେ କହିଥିଲେ, ଦଳରେ କୌଣସି ଗୋଷ୍ଠୀ ନାହିଁ । ସମସ୍ତଙ୍କୁ ନେଇ ଓ ସମସ୍ତଙ୍କ ସହ ମିଶି ସେ କାମ କରିବେ । କଂଗ୍ରେସ ସରକାରକୁ ଆସିଲେ ପ୍ରତି ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ । 

  ବିମାନବନ୍ଦରରୁ ବିରାଟ ପଟୁଆରରେ ଶରତଙ୍କୁ ରାଜ୍ୟ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯାଇଥିଲା । ଶରତ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଦଳର ବରିଷ୍ଠ ନେତା ଏ.ରାଜୁ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ସୁଶୀଳା ତିରିଆ, ସାଂସଦ ସପ୍ତଗିରି ଉଲାକା, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମାକାନ୍ତ ମିଶ୍ର, ଚିରଞ୍ଜିବି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।