ଘରୋଇ ସଂସ୍ଥା ହାତକୁ ଗଲା ସେସୁ : ୨୫ ବର୍ଷ ପାଇଁ ନେଲା ଟାଟା ପାୱାର
ଘରୋଇ ସଂସ୍ଥା ହାତକୁ ଗଲା ସେସୁ : ୨୫ ବର୍ଷ ପାଇଁ ନେଲା ଟାଟା ପାୱାର
admin
Dec 24, 2019 - 08:46
Updated: Dec 24, 2019 - 08:46
ଭୁବନେଶ୍ୱର : ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି । ଏହାକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଛି । ସେସୁକୁ ବିକ୍ରି କରିବା ଲାଗି ଘରୋଇ ସରକାରୀ ସହଭାଗିତାରେ (ପିପିପି) ଏକ ସ୍ପେସିଆଲ୍ ପରପୋଜ ଭେଇକିଲ୍ (ଏସ୍ଭିପି) ଗଠନ କରାଯିବ । ସେଥିରେ ଟାଟା ପାୱାରର ୫୧% ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ ରହିବ । ଦିଲ୍ଲୀରେ ଏହି ଢାଞ୍ଚାରେ ଟାଟା ପାୱାର କାର୍ଯ୍ୟ କରୁଛି ।
ସେସୁ ଅଧୀନରେ ଥିବା ଓଡ଼ିଶାର ପାଞ୍ଚଟି ବିଦ୍ୟୁତ ସର୍କଲ୍ ଯଥା ଭୁବନେଶ୍ୱର ୧ ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳ (ଉପକୂଳବର୍ତ୍ତୀ ୯ ଜିଲ୍ଲା ଓ ଯାଜପୁରର ୪୫ଟି ପଞ୍ଚାୟତ) ପାଇଁ ଟାଟା ପାୱାର ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ଲାଇସେନ୍ସ ହାସଲ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବର୍ଷ ପାଇଁ ଏହି ଲାଇସେନ୍ସ ଦିଆଯିବ । ସେସୁର ଘରୋଇକରଣ ଲାଗି ଯେଉଁ ବିଡ୍ ଆହ୍ୱାନ କରାଯାଇଥିଲା ସେଥିରେ ଟାଟା ପାୱାରର ସଫଳ ବିଡର୍ ଭାବେ ଉଭା ହୋଇଛି ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ତରଫରୁ ଘୋଷଣା କରାଯାଇଛି । ଟାଟା ପାୱାରକୁ ଓଇଆରସି ତରଫରୁ ଲେଟର ଅଫ୍ ଇଣ୍ଟେଣ୍ଡ୍ (ଇଓଆଇ) ପ୍ରଦାନ କରାଯାଇଛି । ରାଜ୍ୟର ପାଞ୍ଚଟି ବିଦ୍ୟୁତ ସର୍କଲରେ ସେସୁ ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଆଗାମୀ ଦିନରେ ଟାଟା ପାୱାର ଏହି ଅଞ୍ଚଳର ବିଦ୍ୟୁତ ବିତରଣ ଓ ଯୋଗାଣ କାର୍ଯ୍ୟ କରିବ ।
୨୦୦୯-୧୦ ପରଠାରୁ ସେସୁକୁ ବିକ୍ରି କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏହା ପୂର୍ବରୁ ଏଥିପାଇଁ ଚାରି ଥର ବିଡ୍ ଆହ୍ୱାନ କରାଯାଇଥିଲା । ଶେଷ ଥର ମାତ୍ର ଗୋଟିଏ କମ୍ପାନି ବିଡ୍ ଦାଖଲ କରିବାରୁ ଟେଣ୍ଡର ପ୍ରକ୍ରିୟାକୁ ବାଧ୍ୟ ହୋଇ ରଦ୍ଦ କରାଯାଇଥିଲା । ସେସକୁ ବିକ୍ରି କରିବା ଲାଗି ପ୍ରାଇସ୍ୱାଟର ହାଉସ୍କୁପରକୁ ଦାୟିତ୍ୱ ଦିଆଯାଇଥିଲା ।