ଗୋଟେ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ

ଗୋଟେ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ

ଗୋଟେ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ
ୱାଶିଂଟନ୍‌: ପୁଣିଥରେ ଜମ୍ମୁ-କଶ୍ମୀର ପ୍ରସ‌ଙ୍ଗରେ କଥା ହେବା ପାଇଁ ମନ ବଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଧ୍ୟସ୍ଥତା କରିବାକୁ ବ୍ୟାକୁଳ ଥିବା ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବେ। ଏ ସମ୍ପର୍କରେ ଆଜି ହ୍ୱାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି। ଏଥିସହ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଧୀରେଧୀରେ ଥମୁଥିବା ମଧ୍ୟ ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି, ସେ ଖୁବ୍‌ଶୀଘ୍ର ମୋଦି ଓ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବାକୁ ଯାଉଛନ୍ତି। ଆମେରିକାର ପରାମର୍ଶ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଥମିଛି। ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖରେ ମୋଦି ଆମେରିକା ଗସ୍ତରେ ଯାଇ ହୋଷ୍ଟନ ଠାରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେବ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ମଧ୍ୟ ସାମିଲ ହେବ। ତେଣୁ ଟ୍ରମ୍ପ ଏଠାରେ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେବେ। ସେହିପରି ୨୪ ତାରିଖରୁ ଜାତିସଂଘ ସାଧାରଣ ପରିଷଦ ବୈଠକ ଆରମ୍ଭ ହେବ। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯୋଗଦେବ। ଏହି ସମୟରେ ଟ୍ରମ୍ପ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ମୋଦିଙ୍କ ସହ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପ ୫୦ ହଜାରରୁ ଅଧିକ ସଂଖ୍ୟକ ଭାରତୀୟ-ଆମେରିକାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସେ ଓହିଓ ଯିବେ। ସେଠାରୁ ଜାତିସଂଘ ବୈଠକ ପାଇଁ ନ୍ୟୁୱର୍କ ଆସିବେ।କଶ୍ମୀର ପ୍ରସଙ୍ଗରେ ମତଦେଇ ଟ୍ରମ୍ପ କହିଛନ୍ତି, “ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିଥିଲା। ତେବେ ଏବେ ଅନେକ ଭଲ ଘଟଣା ଘଟିଛି। ଉଭୟ ଦେଶ ଧୀରେଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛନ୍ତି। ତିକ୍ତତା ଥମିବା ଆରମ୍ଭ ହୋଇଛି।” ଟ୍ରମ୍ପ ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଚାହିଁଥିଲେ। କିନ୍ତୁ ଭାରତ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନଥିବା କହିଥିଲା। ଏହାପରେ ଟ୍ରମ୍ପ ମଧ୍ୟସ୍ଥତା କଥା ଛାଡ଼ି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ସହଯୋଗ କରିବେ ବୋଲି କହିଥିଲେ।